କନକ ବ୍ୟୁରୋ : ବାହାଘରକୁ ନିଆରା କରିବା ପାଇଁ ଏବେ କେତେ ପ୍ରକାରର ଆୟୋଜନ କରାଯାଉଛି । କେଉଁଠି ବର ବିମାନରେ ଅସୁଛି ତ କେଉଁଠି ବର ଘୋଡାରେ ଚଢି ଆସୁଛି । ଆଉ କେଉଁଠି ବର କନ୍ୟ।।କୁ ମୋଟରସାଇକେଲରେ ବସାଇ ନେଇ ଆସୁଛି । ହେଲେ ବିହାରରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର ।
ବିହାରର ମଧୁବଣୀ ଜିଲ୍ଲା ମଧେପୁର ଅନ୍ତର୍ଗତ ଭୋଜା ଥାନା ପ୍ରବଳପୁର ଗାଁର ବାସିନ୍ଦା ମହମ୍ମଦ ଅହସାନଙ୍କ ବାହାଘର ଶୋଭାଯାତ୍ରା ବଡ ଜାକଜମକରେ ଘରୁ ବାହାରିଥିଲା । ଘରୁ ଏକ ବିଳାଶପୂର୍ଣ୍ଣ କାରରେ ବର ବାହାରିଥିଲେ ବି ଘର ଠାରୁ ଗୋଟିଏ କିଲୋମିଟର ଯିବା ପରେ ପରିସ୍ଥିତି ବଦଳିଯାଇଥିଲା । ରାସ୍ତା ଉପରେ ମଣିଷ ବୁଡିଯିବା ଭଳି ପାଣି ଚାଲିଥିଲା । ବାଶ୍ ଏହାପରେ ବର କିଭଳି ଭାବେ କନ୍ୟା ଘରକୁ ଯିବ, ଏହି ବରଯାତ୍ରୀମାନେ କିଭଳି କନ୍ୟାଘରେ ପହଂଚିବେ ତାହାକୁ ନେଇ ଅହସାନଙ୍କ ପରିବାର ପୁରା ଚିନ୍ତାରେ ପଡିଯାଇଥିଲେ । ହେଲେ ଯିବାକୁ ତ ପଡିବ, ଏହାପରେ ବରପକ୍ଷରୁ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ଡଙ୍ଗାରେ ବସି ବର ସହ ବରଯାତ୍ରୀ ପୁରା ୧୦ କିଲୋମିଟର ଦୂର ମହରସା ଜିଲ୍ଲା ହରହରା ବଡହରା ଗ୍ରାମରେ ପହଂଚିଥିଲେ ।
ଏଭଳି ଏକ ନିଆରା ବିବାହ ଶୋଭାଯାତ୍ରାକୁ ଦେଖିବାକୁ ସ୍ଥାନୀୟ ଲୋକମାନେ କୋସି ଘାଟରେ ଭିଡ ଜମାଇଥିଲେ । ବରର ପିତା କଲାମୁଦ୍ଦିନ କହିଛନ୍ତି କି, ନିର୍ବନ୍ଧ ବହୁ ଆଗରୁ ସ୍ଥିର ହୋଇଥିଲା । ହେଲେ ହଠାତ ବାହାଘର ଆଗରୁ ଯେଭଳି ଭାବେ ବନ୍ୟା ଆସିଲା ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ହେଲେ ନିର୍ବନ୍ଧ ଦିନ ବାହାଘର କରିବାକୁ କନ୍ୟାଘର ପକ୍ଷ ଜିଦ୍ ଧରିଥିଲେ । ଏହାପରେ ବରପକ୍ଷ ତରଫରୁ ୩ଟି ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ଦୁଇଟି ଡଙ୍ଗାରେ ବରଯାତ୍ରୀ ଓ ବର ଯାଇଥିବା ବେଳେ ଗୋଟିଏ ଡଙ୍ଗାରେ କିଛି ସାମଗ୍ରୀ ନିଆଯାଇଥିଲା ।