ଫାଶୀରେ ଝୁଲିପାରନ୍ତି ‘ନିର୍ଭୟା’ ଦୋଷୀ ! ଦଉଡି ପ୍ରସ୍ତୁତ ରଖିବାକୁ ମିଳିଲା ନିର୍ଦ୍ଦେଶ ।

697

କନକ ବ୍ୟୁରୋ : ଡିସେମ୍ବର ୧୪ ସୁଦ୍ଧା ପ୍ରସ୍ତୁତ ରଖ ୧୦ଟି ଫାଶୀ ଦଉଡି, କିଛି ଏଭଳି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି ପ୍ରସ୍ତୁତ କରିବାକୁ କୁହାଯାଇଛି । ମିଳିଥିବା ସୂଚନା ମୁତାବକ ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡାଙ୍କୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ନେଇ ଜେଲ ଅଧିକ୍ଷକ କହିଛନ୍ତି ଯେ ଡିସେମ୍ବର ୧୪ ସୁଦ୍ଧା ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ କୁହାଯାଇଥିବାବେଳେ କାହାକୁ ଫାଶୀ ଦିଆଯିବ ସେ ନେଇ କିଛି ତଥ୍ୟ ଦିଆଯାଇନାହିଁ । ସଂସଦ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁକୁ ମୃତ୍ୟଦଣ୍ଡ ଦେବା ପାଇଁ ଏହି ଜେଲ ଦ୍ୱାରା ପ୍ରସ୍ତୁତ ଫାଶୀ ଦଉଡ଼ିକୁ ବ୍ୟବହାର କରାଯାଇଥିଲା ।

ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡା କହିଛନ୍ତି ଯେ ଗୋଟିଏ ଫାଶୀ ଦଉଡି ପ୍ରସ୍ତୁତ କରିବାକୁ ଦୁଇରୁ ତିନିଦିନ ସମୟ ଲାଗିଥାଏ । ୫ରୁ ୬ ଜଣ କଏଦୀ ଏହି ଫାଶୀ ଦଉଡି ପ୍ରସ୍ତୁତ କରିଥାନ୍ତି । ଏଠାରେ ସୂଚନା ଥାଉ କି ଡିସେମ୍ବର ୧୬, ୨୦୧୨ ମସିହାରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ୪ ଜଣ ଦୋଷୀଙ୍କୁ ବର୍ଷ ଶେଷ ସୁଦ୍ଧା ଫାଶୀ ଦିଆଯାଇପାରେ ।