ମୋଦୀ ଗ୍ୟାରେଣ୍ଟି ଦେଇପାରିବ ତ, ନୀତିଶ ପୁଣି ପଲଟି ମାରିବେନି? ବିହାର ବିଧାନସଭାରେ ତେଜସ୍ୱୀଙ୍କ ଜୋରଦାର ଭାଷଣ ।

104

କନକ ବ୍ୟୁରୋ: ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିସାରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ହେଲେ ବିହାରରେ ଫ୍ଲୋର ଟେଷ୍ଟ ହେବା ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ବିଧାନସଭାରେ ଯାହା କହିଛନ୍ତି, ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ନୀତିଶ କୁମାରଙ୍କୁ ଜୋରଦାର ଟାର୍ଗେଟ କରିବା ସହିତ ବିଧାନସଭାରେ ନିଜ କଥା ରଖିଛନ୍ତି ତେଜସ୍ୱୀ । ସେ କହିଛନ୍ତି ଯେ, ନୀତିଶ କୁମାର କହୁଥିଲେ ମୁଁ ତାଙ୍କ ପୁଅ ଭଳି, ହେଲେ ଏବେ ସେ କାହିିଁକି ୟୁ-ଟର୍ଣ୍ଣ ନେଉଛନ୍ତି ତାହା ଜନତାଙ୍କୁ କହିବାକୁ ପଡିବ ।

ଅନ୍ୟପଟେ ନୀତିଶଙ୍କୁ ସିଧା ସିଧା ଟାର୍ଗେଟ କରି ତେଜସ୍ୱୀ କହିଛନ୍ତି, ନୀତିଶ କୁମାରଙ୍କୁ ଧନ୍ୟବାଦ ସେ ଲଗାତାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇ ଇତିହାସ ରଚିଛନ୍ତି । ଗୋଟିଏ ହିଁ ଟର୍ମରେ ସେ ୩ ଥର ଶପଥ ନେଇଛନ୍ତି । ଏଭଳି ଅଦ୍ଭୁତ ଦୃଶ୍ୟ ସେ ପୂର୍ବରୁ କେବେ ବି ଦେଖିନଥିଲେ ବୋଲି ତେଜସ୍ୱୀ ଆଜି ବିଧାନସଭାରେ କହିଛନ୍ତି । ଅନ୍ୟପଟେ ବିହାରର ନୂଆ ଉପ-ମୁଖ୍ୟମନ୍ତ୍ରୀ ହେଇଥିବା ସମ୍ରାଟ ଚୌଧୁରୀ, ବିଜୟ ସିହ୍ନାଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ।

“ମୁଖ୍ୟମନ୍ତ୍ରୀ ଆମର ଆଦରଣୀୟ ଥିଲେ, ଆଉ ଆଗକୁ ବି ରହିବେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନେକ ଥର ମୋତେ କହିଥିଲେ ଯେ, ତୁ ମୋ ପୁଅ ଭଳି । ଆଉ ମୁଁ ବି ନୀତିଶ କୁମାରଙ୍କୁ ରାଜା ଦଶରଥଙ୍କ ଭଳି ପିତା ମାନୁଛି । ତାଙ୍କର ବି କିଛି ବାଧ୍ୟ ବାଧ୍ୟକତା ଥିବ, ଯେପରି ରାଜା ଦଶରଥ ପୁଅ ରାମକୁ ବନବାସ ପଠାଇଥିଲେ । ନୀତିଶ କୁମାର କିନ୍ତୁ ଏଥର କୁହନ୍ତୁ, ସେ କାହିଁକି ମେଣ୍ଟ ଛାଡିଲେ?”, ବୋଲି ବିଧାନସଭାରେ କହିଛନ୍ତି ତେଜସ୍ୱୀ ଯାଦବ ।

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି, “ ଅତି କମରେ ଥରେ ତ କହିପାରିଥାନ୍ତେ । ଆପଣ କିଛି ବି ଜଣାଇଲେନି । ଆପଣ କହିଥିଲେ ଆମେ ବାହାରେ ରହି ବି ଆପଣଙ୍କୁ ସମର୍ଥନ ଦେଇଥାନ୍ତୁ । ଆପଣ ଯେଉଁ ମୋଦୀଙ୍କୁ ରୋକିବାକୁ ଅଣ୍ଟା ଭିଡିଥିଲେ, ଏବେ ଆପଣଙ୍କ ପୁତୁରା ସେହି ମୋଦୀକୁ ବିହାରରେ ରୋକିବାର କାମ କରିବ ।”

ଖାଲି ସେତିକି ନୁହେଁ, ନୀତିଶ କୁମାର ପୁଣି ପଲଟି ମାରିବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ । ମୋଦୀଙ୍କ ଗ୍ୟାରେଣ୍ଟି କଥା କହୁଥିବା ଲୋକ ନୀତିଶ କୁମାର ପୁଣି ପଲଟି ମାରିବେ କି ନାହିଁ ବୋଲି ଗ୍ୟାରେଣ୍ଟି ଦେଇପାରିବେ ତ? ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ । ଏଥିସହ ସମୟ ଆସିବ, କେହି ନଆସିଲେ ବି, ତେଜସ୍ୱୀ ଆସିବ ବୋଲି ବିଧାନସଭାରେ ନାରା ଦେଇଛନ୍ତି ତେଜସ୍ୱୀ ଯାଦବ । ସେ ଲାଲୁଙ୍କ ପୁଅ, ତାଙ୍କ ଦେହରେ ଲାଲୁଙ୍କ ରକ୍ତ ବୋହୁଛି । ସେ କେବେ ବି ଏଭଳି ପରିସ୍ଥିତିରେ ଡରିନାହାଁନ୍ତି ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।