ବିହାରରେ ପୁଣି ନିତିଶ ସରକାର? ବିହାର ଫଳାଫଳ ଉପରେ ରହିଛି ସାରା ଦେଶର ନଜର: କଡ଼ା ଟକ୍କରର ଭିତରେ ପୁଣି ଆଗରେ ଏନଡିଏ, ପଛରେ ପଡ଼ିଲା ମହାମେଂଟ

ଏପଟେ ଭୋଟ୍ ଗଣତିରେ ଅନିୟମିତା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ଆର୍ଜେଡି ମେଂଟ

225

କନକ ବ୍ୟୁରୋ: ମହାମେଂଟ ଓ ଏନଡିଏ ଭିତରେ ଚାଲିଛି କଡ଼ା ଟକ୍କର । ପ୍ରତି ମୁହୂର୍ତରେ ବଦଳୁଛି ଭୋଟ୍ ଗଣିତର ପରିସଂଖ୍ୟାନ୍ । ଶେଷ ଖବର ସୁଦ୍ଧା ଏନ୍ଡିଏ ପୁଣି ମହାମେଂଟକୁ ପଛରେ ପକାଇ ଦେଇଛି । ଏନ୍ଡିଏ ୧୨୫ଟି ଆସନ ସହ ଆଗରେ ଥିବା ବେଳେ ମହାମେଂଟ ୧୧୦ଟି ଆସନରେ ବିଜୟୀ ରହିଛି । ଅନ୍ୟାନ୍ୟ ଦଳ ୭ଟି ଆସନରେ ବିଜୟୀ ହେଉଥିବା ବେଳେ ଏଲ୍ଜେପି ଗୋଟିଏ ଆସନରେ ବିଜୟୀ ହୋଇଛି ।

ଏପଟେ ଭୋଟ୍ ଗଣତିକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛି ଆର୍ଜେଡି । ଦଳ ଅଭିଯୋଗ କରିଛି ଯେ, ଗଣତିରେ ଅନିୟମିତତା କରାଯାଉଛି । ଜାଣିଶୁଣି ନୀତିଶ ପ୍ରଶାସନ ଏଭଳି କରୁଛନ୍ତି ବୋଲି ମହାମେଂଟ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ରିର୍ଟର୍ଣ୍ଣିଂ ଅଫିସର ଏବଂ ଡିଏମ୍ଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଏନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ଆରଜେଡି ।ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି, ପ୍ରତ୍ୟେକ ବର୍ଗର ଲୋକ ଏନଡିଏର ମନ୍ତ୍ର ସବକା ସାଥ ସବକା ବିକାଶ , ସବକା ବିଶ୍ୱାସକୁ ବିଶ୍ୱାସ କରିଛନ୍ତି । ବିହାରର ପ୍ରତି ଜନସାଧରାଣଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

ଗୃହ ମନ୍ତ୍ରୀ ଅମିତ ଶାହା ଟୁଇଟି କରି ବିହାରର ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବିହାରରେ ପୁଣିଥରେ ବିକାଶ, ପ୍ରଗତି ଏବଂ ସୁଶାସନକୁ ଜନତା ବାଛିଥିବାରୁ ସେ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଦେଉଥିବା କଥା ଟୁଇଟ କରି ଜଣାଇଛନ୍ତି । ଭୋଟ ପୂର୍ବରୁ ଅର୍ଥାତ ପ୍ରଚାର ସମୟରେ ଆରଜେଡିକୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରରେ ଆରଜେଡିର ଜଙ୍ଗଲରାଜ କଥା ଉଠାଇଥିଲେ । ରୋଜଗାର ପ୍ରସଙ୍ଗରେ ତେଜସ୍ୱୀ ଯାଦବ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସମାଲୋଚନା କରିଥିଲେ ମୋଦି ।

ବିହାର ବୁଥ ବାହୁଡ଼ା ମତ ଯାହାଥିଲା, ଫଳାଫଳ ସେପରି ଆସିନାହିଁ । ବୁଥ ବାହୁଡ଼ା ମତ ଅନୁସାରେ ଆରଜେଡି ନେତୃତ୍ୱରେ ମହାଗଠବନ୍ଧନ ବହୁମତ ପାଇଁ ସରକାର ଗଢ଼ିବା କଥା । ହେଲେ ଯେଉଁ ପରିଣାମ ଆସୁଛି, ତାହା ଚକିତ କଲାଭଳି । ଏନଡିଏ ଆଗରେ ରହିଛି । ତେବେ କିଛି ଆସନରେ ଦୁଇ ପକ୍ଷ ମଧ୍ୟରେ କମ୍ ଭୋଟ ବ୍ୟବଧାନ ରହିଛି । ତେଣୁ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ, ବିହାରରେ କିଏ ଗଢ଼ିବ ସରକାରା । ବିହାରରେ ଆଉ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ପୂର୍ବରୁ ଜେଡିୟୁ ବିହାରରେ ବଡ଼ ଦଳ ଭାବେ ଏନଡିଏରେ ଥିଲା । ଏହି ନିର୍ବାଚନରେ ଜେଡିୟୁକୁ ପଛରେ ପକାଇ ଏନଡିଏର ସିନିୟର ପାର୍ଟନର ହେବାକୁ ଯାଉଛି ବିଜେପି ।