କରୋନା କାଳରେ ୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ: ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ପଡିବ ଭୋଟ, ନଭେମ୍ବର ୧୦ରେ ଗଣତି; ପିପିଇ କିଟ୍, ସାନିଟାଇଜର ଓ ମାସ୍କ ବ୍ୟବହାର କରିବେ ବୁଥ କର୍ମଚାରୀ

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମତଦାନ

96

କନକ ବ୍ୟୁରୋ: କରୋନା କାଳରେ ଦେଶରେ ହେବ ପ୍ରଥମ ନିର୍ବାଚନ । ବିହାର ନିର୍ବାଚନକୁ ନେଇ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର କରିଛନ୍ତି ବଡ ଘୋଷଣା । ୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ । ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲା ପାଇଁ ୭୧ଟି ଆସନରେ ମତଦାନ କରାଯିବ । ସେହିପରି ଦ୍ୱତୀୟ ପର୍ଯ୍ୟାୟରେ ୧୭ଟି ଜିଲ୍ଲାରେ ୯୪ଟି ଆସନ ଓ ତ୍ୱତୃୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୭୮ଟି ଆସନରେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବେ ଭୋଟର । ଏଥର ମତଦାନ ସମୟ ୧ ଘଂଟା ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ ।

ସେପଟେ, କରୋନା ସମୟରେ ହେବାକୁ ଯାଉଥିବା ଏହି ନିର୍ବାଚନ ପାଇଁ ନୂଆ କଟକଣା ଓ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ପାଳନ କରି କରୋନା କାଳରେ ବିହାରରେ ହେବ ବିଧାନସଭା ନିର୍ବାଚନ । ଏଥର ଭୋଟ୍ ବେଳେ ବିହାରରେ ମତଦାନରେ ସାମିଲ ହେଉଥିବା କର୍ମଚାରୀ ପିନ୍ଧିବେ ପିପିଇ କିଟ୍, ଫେସ୍ ସିଲଡ୍, ଗ୍ଲୋବସ୍ ଏବଂ ବ୍ୟବହାର କରିବେ ସାନିଟାଇଜର । ଏଥିପାଇଁ ୬ ଲକ୍ଷ ପିପିଇ କିଟ୍ ଓ ୪୬ ଲକ୍ଷ ମାସ୍କ , ୨୩ ଲକ୍ଷ ଗ୍ଲୋବସ୍ ଏବଂ ୬ ଲକ୍ଷ ଫେସ୍ ସିଲଡ୍ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ବିହାର ନିର୍ବାଚନରେ କରୋନା ପୀଡିତ ବି କରିପାରିବେ ମତଦାନ ।

ନାମାଙ୍କନ ସମୟରେ ଶେଷ ସମୟରେ ଭୋଟ୍ ଦେବେ କରୋନା ଆକ୍ରାନ୍ତ । କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା ଏହି ସୂଚନା ଦେଇଛନ୍ତି । ପ୍ରାର୍ଥୀ ନାମାଙ୍କନ ଅନଲାଇନରେ ବି ଭରିପାରିବେ । ନାମାଙ୍କନ ସମୟରେ ସାଥୀରେ ୨ରୁ ଅଧିକ ଗାଡି ନେଇ ଯାଇପାରିବେ ନାହିଁ ପ୍ରାର୍ଥୀ । ସେହିପରି ପ୍ରଚାର ସମୟରେ ୫ ରୁ ଅଧିକ ଲୋକ କୌଣସି ଘରକୁ ଯାଇ କରିପାରିବେ ନାହିଁ ପ୍ରଚାରକାମ । ବିଶେଷ କରି ପ୍ରଚାର କାମ ଭର୍ଚୁଆଲ୍ ରହିବ । ଡିଜିଟାଲ ମାଧ୍ୟମରେ ପ୍ରଚାର ପାଇଁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । କରୋନା ସମୟରେ ପ୍ରଚାର ଉପରେ ରହିବ କଡା ନଜର । ଯେପରି ଜନଗହଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ । ଏହାକୁ ବ୍ୟବହାର କରିବେ ମତଦାନରେ ସାମିଲ ଥିବା କର୍ମଚାରୀ । ବିହାରରେ ମୋଟ୍ ଭୋଟର ସଂଖ୍ୟା ୭ କୋଟି ୭୯ ଲକ୍ଷ । ଗୋଟିଏ ବୁଥରେ କେବଳ ଏକ ହଜାର ମତଦାତା ହିଁ ଭୋଟ୍ ଦେଇପାରିବେ ।