କନକ ବ୍ୟୁରୋ: ପୁଣି ବିବାଦ ଘେରକୁ ଆସିଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ । ‘ରାମଚରିତ ମାନସ ପୋଟାସିୟମ୍ ସାଇନାଇଟ ଭଳି’ ବୋଲି କହି ବିବାଦୀୟ ହୋଇଛନ୍ତି ମନ୍ତ୍ରୀ । ହିନ୍ଦୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚନ୍ଦ୍ରଶେଖର ଯାଦବ କହିଥିଲେ ଯେ, ‘ ଠାକୁରଙ୍କ ଆଗରେ ଛପନ ପ୍ରକାର ଭୋଗ ବାଢି ଯଦି ସେଥିରେ ପୋଟାସିୟମ ସାଇନାଇଟ୍ ମିଶାଇଦିଆଯାଏ ତାହେଲେ କ’ଣ ହେବ? ହିନ୍ଦୁ ଧର୍ମଗ୍ରନ୍ଥର ଅବସ୍ଥା ମଧ୍ୟ ସେହିଭଳି’ ।

Advertisment

ଆହୁରି ମଧ୍ୟ କହିଛନ୍ତି , ‘ଯେପର୍ଯ୍ୟନ୍ତ ଦେଶରେ ମଇଳା ଟାଙ୍କିକୁ ଓହ୍ଲାଉଥିବା ଲୋକଙ୍କ ଜାତି ବଦଳାନଯିବ ସେପର୍ଯ୍ୟନ୍ତ ଦେଶରେ ସଂରକ୍ଷଣ ଓ ଜାତୀୟ ଗଣନାର ଆବଶ୍ୟକତା ପଡୁଥିବ’ । ଏହା ପୂର୍ବରୁ ମଧ୍ୟ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ ମନ୍ତ୍ରୀ ଚନ୍ଦ୍ରଶେଖର । ଜନ୍ମାଷ୍ଟମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହମ୍ମଦ ପୈଗମ୍ବରଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ବୋଲି କହିଥିଲେ । ସାରା ସଂସାରରୁ ବେଇମାନୀ , ଠକେଇ, ସୈତାନୀର ଅନ୍ତ କରିବାକୁ ତାଙ୍କର ଆବିର୍ଭାବ ବୋଲି କହିଥିଲେ’ ।

ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନ ପରେ ପାଲଟା ଜବାବ ଦେଇଛି ବିଜେପି । ଦଳୀୟ ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ, ‘ନୀତିଶଙ୍କ ମନ୍ତ୍ରୀ ବାରମ୍ବାର ସନାତନ ଧର୍ମ ଉପରେ ଏଭଳି ବୟାନ ଦେଉଛନ୍ତି , ନୀତିଶଙ୍କ କାନରେ କ’ଣ ପଡୁନି । ଯଦି ମନ୍ତ୍ରୀଙ୍କୁ ସନାତନ ଧର୍ମକୁ ନେଇ ଏତେ ସମସ୍ୟା ତାହେଲେ ନିଜ ଧର୍ମ ବଦଳାଇଦେଉନାହାଁନ୍ତି କାହିଁକି?’