କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ବିହାରର ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି । ବିହାର ଉପ-ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏହି ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପିଏସ୍ ପ୍ରୀତମ ସଂଶ୍ଲିଷ୍ଟ ଥିବା ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତେଜସ୍ୱୀଙ୍କ ପିଏସ୍ ଏହି ପେପରଲିକ୍ ଘଟଣାର ମାଷ୍ଟରମାଇଣ୍ଡ ଥିବା ସିକନ୍ଦର ପାଇଁ ରୁମ୍ ବୁକ୍ କରିଥିଲେ ।

Advertisment

ବିଜୟ ସିହ୍ନା କହିଛନ୍ତି ଯେ, ନିଟ୍ ପେପର ଲିକ୍ ଘଟଣାର ଅଭିଯୁକ୍ତ ସିକନ୍ଦର କୁମାର ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବେଶ ନିକଟତର ଅଟନ୍ତି । ସେ ତେଜସ୍ୱୀଙ୍କ ପିଏସ୍ ଜରିଆରେ ଏକ ଗେଷ୍ଟ ହାଉସ୍ ବୁକ୍ କରିଥିଲେ । ଖାଲି ସେତିକି ନୁହେଁ, ବିଜୟ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାରୀମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ଏନଏଚଏଆଇର ଗେଷ୍ଟ ହାଉସ୍ ବୁକ୍ କରାଯାଇଥିଲା । ତେବେ ଗେଷ୍ଟ ହାଉସରେ ରହିବା ପାଇଁ ତାଙ୍କ ପାଖରେ ଅନୁମତି ନଥିବା ସତ୍ତ୍ୱେ ମଧ୍ୟ ସେ ଗେଷ୍ଟ ହାଉସରେ ତେଜସ୍ୱୀଙ୍କ ଚାପରେ ରହିଥିଲେ ବୋଲି ବିଜୟ ସିହ୍ନା ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପେପର ଲିକ୍ ମାମଲାରେ ଅନୁରାଗ ଯାଦବ ନାମକ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି । ଯେଉଁଥିରୁ ପେପର ଲିକ୍ କରିଥିବା ବ୍ୟକ୍ତି ଏନଏଚଏଆଇ ଗେଷ୍ଟ ହାଉସରେ ରହିଥିବା ନେଇ କଥାର ଖୁଲାସା ହେଇଥିଲା । ସବୁଠୁ ବଡ କଥା ହେଲା, ଗେଷ୍ଟ ହାଉସରେ ଜଣେ ମନ୍ତ୍ରୀଙ୍କ ନାଁରେ ରୁମ୍ ବୁକ୍ କରାଯାଇଥିଲା ବୋଲି କୁହାଯାଉଛି । ଯାହା କି ତେଜସ୍ୱୀ ଯାଦବଙ୍କ ନାଁରେ ରହିଛି ବୋଲି ବିଜୟ ସିହ୍ନା ଦାବି କରୁଛନ୍ତି ।