ବିହାର ବିଷାକ୍ତ ମଦ ମୃତ୍ୟୁ ଘଟଣା । ୧୬ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ସନ୍ଦିଗ୍ଧ ବୋଲି କହିଲା ଜିଲ୍ଲା ପ୍ରଶାସନ

195

କନକ ବ୍ୟୁରୋ : ବିହାର ବେତୀୟା ଜିଲ୍ଲାରେ ଏକା ସାଙ୍ଗରେ ୧୬ ଜଣ ମରିବା ଘଟଣାରେ ପ୍ରଶାସନ ଏବେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଇଛି । ଗାଁ ଲୋକମାନେ ଦାବି କରିଛନ୍ତି କି ସମସ୍ତ ୧୬ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁଁ ହୋଇଛି, ହେଲେ ପ୍ରଶାସନ କହିଛି କି ୪ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁଁ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁର କାରଣ ରୋଗ । ଅନ୍ୟ ୧୦ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ଇସ୍ଥାହାର ଜାରି କରାଯାଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ।

ଜିଲ୍ଲା ପ୍ରଶାସନ ମୁତାବକ ୨ ଜଣଙ୍କର ମୃତ୍ୟୁ ରୋଗ କାରଣରୁ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ କାରଣରୁ ହୋଇଛି । ଅନ୍ୟପଟେ ମୋଟ ୧୪ ଜଣଙ୍କର ମୃତ୍ୟୁ ସାମ୍ଭାବ୍ୟ ବିଷାକ୍ତ ମଦ ଯୋଗୁଁ ହୋଇଥାଇପାରେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ହେଲେ ଗ୍ରାମବାସୀ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।

କହିରଖୁ କି ଚଳିତ ମାସ ୧୫ ତାରିଖରେ ବେତୀୟା ଜିଲ୍ଲାର ଲୋରିୟା ଅଞ୍ଚଳରେ ଜଣଙ୍କ ପରେ ଜଣେ କ୍ରମାଗତ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଯାଂଚ କରିବାକୁ ଜିଲ୍ଲା ପ୍ରଶାସନ ଗାଁରେ ପହଂଚିଥିବା ବେଳେ ଏ ସମସ୍ତଙ୍କ ମୃତ୍ୟୁର କାରଣ ବିଷାକ୍ତ ମଦ ପିଇବା ଯୋଗୁଁ ହୋଇଥିବା କଥା ଗ୍ରାମବାସୀ କହିଥିଲେ ।