କନକ ବ୍ୟୁରୋ: ବିହାରର ଜମୁଇ ଅଞ୍ଚଳରେ ରହୁଥିବା ଗୋଟିିଏ ଛୋଟ ଝିଅର ଭିଡିଓ ଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯେଉଁଥିରେ ସେ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡିଓକୁ ଅନେକ ଲୋକ ପସନ୍ଦ ବି କରିଥିଲେ । ହେଲେ ଏବେ ସେହି କୁନି ଝିଅକୁ ମିଳିଛି ଦ୍ୱିତୀୟ ଗୋଡ ।

Advertisment

ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ସହାୟତାରେ ସୀମାକୁ ମିଳିଛି ଦ୍ୱିତୀୟ ଗୋଡ । ଜିଲ୍ଲା ଶିକ୍ଷା ଅଧିକାରୀ କପିଲଦେବ ତିୱାରୀଙ୍କ ଉପସ୍ଥିତିରେ ଡାକ୍ତରୀ ଟିମ୍ ତାଙ୍କୁ କୃତ୍ରିମ ଗୋଡ ଲଗାଇଛନ୍ତି । ଆଉ କୃତ୍ରିମ ଗୋଡ ଲାଗିବା ପରେ, କୁନି ଝିଅଟି ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ସୀମା ନିଜ ପିତା-ମାତାଙ୍କ ସହିତ ଖେରା ପ୍ରଖଣ୍ଡର ନକ୍ସଲ ପ୍ରଭାବିତ ଅଞ୍ଚଳ ଫତେପୁର ଗାଁରେ ରୁହେ । ଦୁଇ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ସେ ତାର ଗୋଟିଏ ଗୋଡ ହରାଇଥିଲା । ହେଲେ ସବୁ ଦୁଃଖ, କଷ୍ଟ ଓ ଯନ୍ତ୍ରଣାକୁ ପଛରେ ପକାଇ ସେ ନିଜର ଶିକ୍ଷା ଜାରି ରଖିଥିଲା । ଆଉ ପ୍ରତିଦିନ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଥିଲା ।

କିଛି ଦିନ ତଳେ ସୀମା ସ୍କୁଲ ଯିବା ବେଳର ଭିଡିଓ ବେଶ ଭାଇରାଲ ହୋଇଥିଲା । ଅନେକ ଲୋକ କୁନି ଝିଅଟିକୁ ସାହାଯ୍ୟ କରିବାକୁ ଦାବି କରିଥିଲେ । ଆଉ ଏବେ ସେହି କୁନି ଝିଅ ପାଖରେ ପହଞ୍ଚିଛି ସରକାରୀ ସହାୟତା । ତାକୁ ମିଳିଛି ଦ୍ୱିତୀୟ ଗୋଡ ।