ବିହାର ମହାମେଣ୍ଟରେ ଫାଟ । ୨୦୨୪ରେ ସବୁ ଲୋକସଭା ସିଟରେ ଏକାକୀ ଲଢିବ କଂଗ୍ରେସ । ଜାଣନ୍ତୁ, କାହିଁକି ଅଲଗା ହେଲେ ଆରଜେଡି ଓ କଂଗ୍ରେସ?

120

କନକ ବ୍ୟୁରୋ: ବିହାରରେ ଭାଙ୍ଗିଲା ମହାମେଣ୍ଟ । ଅଲଗା ହେଲେ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ । ଏନେଇ ଆଜି ବିହାର କଂଗ୍ରେସର ପ୍ରଭାରୀ ଭକ୍ତ ଚରଣ ଦାସ ଘୋଷଣା କରିବା ସହିତ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଦଳ ସମସ୍ତ ୪୦ଟି ସିଟରେ ଏକାକୀ ପ୍ରାର୍ଥୀ ଦେବ ବୋଲି କହିଛନ୍ତି । ତେବେ ବିହାରରେ ମହାମେଣ୍ଟ ଭାଙ୍ଗିବାର ଅସଲ କାରଣ ସେ ଆରଜେଡିକୁ ଦେଇଛନ୍ତି । ରାଷ୍ଟ୍ରୀୟ ଜନତା ଦଳ କାରଣରୁ ହିଁ ବିହାରରେ ମହାମେଣ୍ଟ ଭାଙ୍ଗିଛି ବୋଲି ସେ କହିଛନ୍ତି ।

ଗତ ବିଧାନସଭା ନିର୍ବାଚନ ସମୟରେ ଜେଡିୟୁ ଓ ବିଜେପି ମେଣ୍ଟକୁ ଟକ୍କର ଦେବା ପାଇଁ ଆରଜେଡି, କଂଗ୍ରେସ ଓ ବାମ ଦଳ ମିଶି ବିହାରରେ ମହାମେଣ୍ଟ ଗଠନ କରିଥିଲେ । ଯାହାର ନେତା ହୋଇଥିଲେ ତେଜସ୍ୱୀ ଯାଦବ । ତାଙ୍କରି ନେତୃତ୍ୱରେ ଦଳ ବିଧାନସଭା ନିର୍ବାଚନ ଲଢିଥିଲା ଆଉ ଅଳ୍ପକେ ସରକାର ଗଠନ କରିବାରୁ ବଞ୍ଚିତ ହୋଇଥିଲ । ହେଲେ ଏହାପରେ ତାରାପୁର ଓ କୁଶେଶ୍ୱରସ୍ଥାନ ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ଉପ-ନିର୍ବାଚନ ମହାମେଣ୍ଟରେ ଫାଟ ସୃଷ୍ଟି କରିଥିଲା ।

ଏହି ଦୁଇଟି ଉପ-ନିର୍ବାଚନ ପାଇଁ ଜେଡିୟୁ ପ୍ରାର୍ଥୀ ଘୋଷଣା କରିଥିଲା । ଯାହାକୁ ବିଜେପି ସମର୍ଥନ କରିଥିଲା । ଅନ୍ୟପଟେ ଜେଡିୟୁ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ଆରଜେଡି ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ କଂଗ୍ରେସ ମଧ୍ୟ ଏହି ଆସନରେ ନିଜର ପ୍ରାର୍ଥୀ ଦେବାକୁ ଇଚ୍ଛା କରିଥିଲା । ଆଉ ଶେଷରେ ଦୁଇ ଆସନରେ ଆରଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲା । ଯାହା ପରେ ବିହାରରେ ଏବେ ମହାମେଣ୍ଟ ଭାଙ୍ଗିଥିବା ଭକ୍ତ ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଏନେଇ ମୁହଁ ଖୋଲିଥିଲେ କଂଗ୍ରେସ ପ୍ରଭାରୀ ଭକ୍ତ ଦାସ । ସିଧାସଳଖ ସେ ତେଜସ୍ୱୀଙ୍କୁ ଟାର୍ଗେଟ କରିବା ସହିତ କଂଗ୍ରେସ ବିନା ସେ କଦାପି ମୁଖ୍ୟମନ୍ତ୍ରୀ ହୋଇପାରିବେନି ବୋଲି କହିଥିଲେ । ଯଦି ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ତେବେ ତାଙ୍କୁ ମହାମେଣ୍ଟର ଧର୍ମ ପାଳନ କରିବାକୁ ପଡିବ ବୋଲି ପୂର୍ବରୁ କହିସାରିଥିଲେ ଭକ୍ତ ଦାସ । ହେଲେ ଏସବୁ ଭିତରେ ଏବେ ବିହାରରେ ମହାମେଣ୍ଟ ଭାଙ୍ଗିଥିବା ସୂଚନା ମିଳିଛି ।