କନକ ବ୍ୟୁରୋ : ବିହାର ନିର୍ବାଚନରେ ଏଥର ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିହାର ରାଜନୀତିର ମୋଡ ବଦଳାଇଦେବା ଭଳି ଶକ୍ତି ରଖିଥିବା ତେଜସ୍ୱୀ ଯାଦବ । ଅନ୍ୟପଟେ ବିହାରରେ ଏନଡିଏର ନେତା ନୀତିଶ କୁମାର । ତେବେ ବର୍ତ୍ତମାନ ସୁଦ୍ଧା ଏନଡିଏ ଆଗରେ ରହିଥିବା ବେଳେ ନୀତିଶଙ୍କୁ କଡା ଟକ୍କର ଦେଉଛନ୍ତି, ୩୧ ବର୍ଷର ଯୁବକ ତେଜସ୍ୱୀ ଯାଦବ ।
ବର୍ତ୍ତମାନର ରିପୋର୍ଟ ସୁଦ୍ଧା, ଏନଡିଏ ୧୩୩ ଆସନ ସହ ଆଗରେ ରହିଥିବା ବେଳେ, ମହାମେଣ୍ଟ ୯୯ ଆସନ ସହ ଆଗକୁ ବଢୁଛି । ତେବେ ଆଗକୁ ଫଳାଫଳ କଣ ହେବ, ତାଉପରେ ରହିଛି ସମସ୍ତଙ୍କ ନଜର । କାରଣ ବର୍ତ୍ତମାନ ଏମିତି ବି ଅନେକ ଆସନ ରହିଛି ଯେଉଁଠି କି, ୫୦୦ରୁ ଅଳ୍ପ ଭୋଟ୍ ବ୍ୟବଧାନରେ ପଛରେ ରହିଛି ଆରଜେଡି ।
ଚଳିତ ନିର୍ବାଚନରେ ଯୁବବର୍ଗଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲେ ଆରଜେଡିର ଯୁବ ନେତା ତେଜସ୍ୱୀ ଯାଦବ । ସଭାମଂଚ ନିକଟରେ ବିପୁଳ ଭିଡ ଜମାଇ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଜୋରଦାର ଆକ୍ରମଣ କରୁଥିଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ । କେବଳ ଏତିକି ନୁହେଁ ନିର୍ବାଚନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଆରଜେଡିର ଏହି ଯୁବ ନେତା । ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏକ ଆଂଚଳିକ ପାର୍ଟି ହୋଇଥିବାରୁ ରୋଜଗାର ଏହାର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ।
ତେବେ ବର୍ତ୍ତମାନର ଫଳାଫଳ ସୁଦ୍ଧା ଏନଡିଏ ଆଗରେ ରହିଥିବା ବେଳେ ମହାମେଣ୍ଟ ପଛରେ ରହିଛି । ତେଜସ୍ୱୀଙ୍କ ତେଜକୁ କାଟି ଆଗକୁ ବଢିଚାଲିଛନ୍ତି ନୀତିଶ କୁମାର । ତେବେ ଚୂଡାନ୍ତ ଫଳାଫଳ ସୁଦ୍ଧା କାହାକୁ ବହୁମତ ମିଳୁଛି, ଏବେ ତାକୁ ହିଁ ଅପେକ୍ଷା ।