ଫେଲ୍ ମାରିଲା ଗଣଶିକ୍ଷା ବିଭାଗର ଦମ୍ଭୋକ୍ତି: ଢେଙ୍କାନାଳ ପରେ ଦେବଗଡ଼ରୁ ଆସିଲା ମାଟ୍ରିକ୍ ପରୀକ୍ଷାରେ କପିର ବିହାର ଷ୍ଟାଇଲ । ପାଚେରୀ ଡେଇଁ ଅଭିଭାବକ ଦେଉଛନ୍ତି କପି, ସ୍କୁଲ କର୍ମଚାରୀ ସାମିଲ୍ ଥିବା ଅଭିଯୋଗ ।

534

କନକ ବ୍ୟୁରୋ: କପି ରୋକିବା ପାଇଁ ଯାହା ପଦକ୍ଷେପ ନେବା କଥା ନିଆଯାଉଛି । ଢ଼େଙ୍କାନାଳ କାମାକ୍ଷନଗରରେ ଅଭିଭାବକ ଖୁଲମ୍ଖୁଲା କପି ଦେବା ଘଟଣା ପରେ ଏହା ଥିଲା ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା । କେବଳ ଏତିକି ନୁହେଁ ପରୀକ୍ଷା କେନ୍ଦ୍ରରୁ ଶହେ ମିଟର ଯାଏଁ ୧୪୪ ଧାରା ଲାଗୁ ନେଇ ଘୋଷଣା କରିଥିଲେ ବିଭାଗୀୟ ମନ୍ତ୍ରୀ । ଏବେ ଦେଖନ୍ତୁ କପି ରୋକିବାକୁ କେଉଁ ଭଳି ପଦକ୍ଷେପ ନିଆଯାଉଛି ।

କନକ ନ୍ୟୁଜ୍ କ୍ୟାମେରା ଦେଖି, ଲୁଚିଛପି ଚମ୍ପଟ ହୋଇଯାଉଥିବା ଏହି ବ୍ୟକ୍ତିମାନେ ସ୍କୁଲ ପଛ ପଟ ପାଚେରୀ ଡେଇଁ ପିଲାଙ୍କୁ ବେଧଡକ୍ କପି ଦେଉଛନ୍ତି । ବଡ଼ କଥା ହେଉଛି- ପିଲାଙ୍କୁ କପି ଯୋଗାଇ ଦେବାରେ ସ୍କୁଲ କର୍ମଚାରୀଙ୍କ ସଂପୃକ୍ତି ରହୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ପାଚେରୀ ଡେଇଁ ଅଭିଭାବକମାନେ ସ୍କୁଲ ପଛ ପଟେ ଥିବା ଶୌଚ୍ୟାଳୟକୁ ଯାଉଛନ୍ତି, ଆଉ ସେଠୁ ସ୍କୁଲ କର୍ମଚାରୀ ଆସି ପିଲାଙ୍କ ପାଖରେ ପହଂଚାଇ ଦେଉଛନ୍ତି କପି । ଏଭଳି ଏକ ଚିତ୍ର ଆସିଛି ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ୍ ଦନ୍ତରିବାହାଲ ହାଇସ୍କୁଲରୁ ।

ପରୀକ୍ଷା କେନ୍ଦ୍ରର ଆଗପଟେ ଜଣେ ପୁଲିସ୍ କର୍ମଚାରୀ ବସିଛନ୍ତି ସତ । ହେଲେ ତାଙ୍କ ଆଖି ଆଢ଼ୁଆଳରେ ଚାଲିଛି ପୁରା କାରସାଦି । ପଛପଟେ ପାଚେରୀ ଡେଇଁ ଅଭିଭାବକମାନେ କପି ଯୋଗାଉଛନ୍ତି । ପ୍ରଧାନଶିକ୍ଷକଙ୍କ ହସମତିରେ ସ୍କୁଲର କର୍ମଚାରୀ କପି ଯୋଗାଇ ଦେବାପାଇଁ, ପିଲା ପିଛା ଅଭିଭାବକମାନଙ୍କଠାରୁ ୧୬ଶହ ଟଙ୍କା ଲେଖାଏଁ ଅସୁଲ କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଢେଙ୍କାନାଳ ଜିଲ୍ଲା ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରୁ ଆସିଥିଲା ଠିକ୍ ସାମନ ଅଭିଯୋଗ । ଯେଉଁଠି ପାଚେରୀ ଡେଇଁ ପିଲାଙ୍କୁ କପି ଯୋଗାଉଥିଲେ ଅଭିଭାବକ । ସେହିପରି ବଲାଙ୍ଗର ମନେଇପାଦ ପରୀକ୍ଷା କେନ୍ଦ୍ରରେ ମଧ୍ୟ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କଠାରୁ ପଇସା ନେଇଥିବା ଅଭିଯୋଗ ହୋଇଥିଲା ।