ଉପ-ନିର୍ବାଚନକୁ ନେଇ ବିହାରରେ ହଇଚଇ । ଆରଜେଡି ନେତାଙ୍କୁ ଆଇନା ଦେଖାଇଲେ କଂଗ୍ରେସ ପ୍ରଭାରୀ ।

128

କନକ ବ୍ୟୁରୋ: ଉପ-ନିର୍ବାଚନକୁ ନେଇ ଏବେ ଉଠୁଛି ପଡୁଛି ବିହାର ରାଜନୀତି । ହେଲେ ଏହାରି ଭିତରେ ମହାମେଣ୍ଟର ଦୁଇ ଦଳ କଂଗ୍ରେସ ଓ ଆରଜେଡି ଭିତରେ ସବୁକିଛି ଠିକ୍ ନଥିବା ଜଣାପଡିଛି । ସ୍ଥିତି ଏମିତି ହୋଇଛି ଯେ, ଦୁଇ ଦଳର ନେତା ସାଧାରଣରେ ବୟାନବାଜି କରିବାକୁ ମଧ୍ୟ ପଛାଉନାହାଁନ୍ତି ।

ବିହାର କଂଗ୍ରେସର ପ୍ରଭାରୀ ଭକ୍ତ ଚରଣ ଦାସ ରବିବାର ଆରଜେଡି ବିରୋଧରେ ବୟାନ ଦେବା ସହିତ ତେଜସ୍ୱୀ ଯାଦବଙ୍କୁ ଆଇନା ଦେଖାଇଛନ୍ତି । ଭକ୍ତ ଦାସ କହିଛନ୍ତି, ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସକୁ ସମ୍ମାନ ଦେବା ଉଚିତ୍ । କାହିଁକି ନାଁ କଂଗ୍ରେସର ୧୯ ବିଧାୟକଙ୍କ ବିନା ତେଜସ୍ୱୀ କଦାପି ବିହାରରେ ସରକାର ଗଠନ କରିପାରିବେ ନାହିଁ । ତେବେ ୧୯ ବିଧାୟକଙ୍କ ସମର୍ଥନ କୌଣସି ମାମୁଲି କଥା ନୁହେଁ । କଂଗ୍ରେସ ଶକ୍ତିଶାଳୀ ହେଲେ ହିଁ ତେଜସ୍ୱୀ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ଭକ୍ତ ଚରଣ ଦାସ କହିଛନ୍ତି ।

ଅନ୍ୟପଟେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉପ-ନିର୍ବାଚନରେ କୁଶେଶ୍ୱର ଅସ୍ଥାନ ଓ ତାରାପୁର ବିଧାନସଭା ସିଟରୁ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ଏହି ଉପ-ନିର୍ବାଚନରେ ଆରଜେଡି ସହିତ କେବେ ବି ବନ୍ଧୁତ୍ୱର ଲଢେଇ ହେବ ନାହିଁ । ଆରଜେଡି ଯଦି ମହାମେଣ୍ଟର ଧର୍ମ ନମାନିବ ତେବେ ଏହାର କ୍ଷତି ସେ ନିଜେ ହିଁ ସହିବ ବୋଲି ଭକ୍ତ ଦାସ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିହାରର ଦୁଇଟି ବିଧାନସଭା ସିଟ୍ ପାଇଁ ଉପ-ନିର୍ବାଚନ ହେବାକୁ ଯାଉଛି । ଯେଉଁଥିପାଇଁ ଆସନ୍ତା ଅକ୍ଟୋବର ୩୦ ତାରିଖରେ ଭୋଟ୍ ହେବ । ହେଲେ ଏହି ସିଟ୍ ପାଇଁ ପ୍ରାର୍ଥୀ ଦେବାକୁ ମହାମେଣ୍ଟର ଦୁଇ ଦଳ କଂଗ୍ରେସ ଓ ଆରଜେଡି ଭିତରେ କଳି ଦେଖିବାକୁ ମିଳିଛି । ଦୁଇ ଦଳ ଏହି ଆସନରେ ନିଜର ପ୍ରାର୍ଥୀ ଦେବାକୁ ଜିଦ୍ କରିଥିବାବେଳେ ଦୁଇ ଦଳ ଏବେ ଅଲଗା ଅଲଗା ହୋଇ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ-ଆରଜେଡି ମିଳିତ ହୋଇ ନିର୍ବାଚନ ଲଢିଥିଲେ ।