କନକ ବ୍ୟୁରୋ : ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆସନ୍ତା ୫ ତାରିଖ ଓଡ଼ିଶା ଆସିପାରନ୍ତି ନୀତିଶ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଭେଟିବା ନେଇ ଚର୍ଚ୍ଚା ବଢିଛି । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି । ଏହାପୂର୍ବରୁ ନୀତିଶ କୁମାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଭେଟିଥିଲେ । ସେତେବେଳେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ଗତ କିଛି ଦିନ ପୂର୍ବେ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେତେବେଳେ ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଇଥିଲା ।
ନବୀନ-ନୀତିଶଙ୍କ ଭେଟଘାଟ ହେଲେ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିବ । କିନ୍ତୁ ନବୀନଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ଗତ କିଛି ବର୍ଷ ହେବ ସମଦୂରତ୍ୱକୁ ନେଇ ଆଗକୁ ବଢୁଛନ୍ତି ନବୀନ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା ନବୀନ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଏହି ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ମଧ୍ୟ ରହିଛି । ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏହା ଭିତରେ ଭେଟିଛନ୍ତି । ଏଭଳିସ୍ଥଳେ ତୃତୀୟ ସାମ୍ମୁଖ୍ୟରେ ବିଜେଡିର ଯୋଗଦାନ ସମ୍ଭାବନା ଯଥେଷ୍ଟ କମ । କାରଣ ଏହା ପୂର୍ବରୁ କଂଗ୍ରେସ ଅନେକବାର ସମଦୂରତ୍ୱକୁ ନେଇ ବିଜେଡିକୁ ଟାର୍ଗେଟ କରି ଆସୁଛି । ବିଜେଡି ସମଦୂରତ୍ୱ କଥା କହୁଥିଲେ ମଧ୍ୟ ବିଜେପି ସହ ଥିବା କଂଗ୍ରେସ କହି ଆସୁଛି । କାରଣ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ମୋଦୀଙ୍କୁ ସମର୍ଥନ କରୁଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/4-3.jpg)