ବିହାର ଏନଡିଏ ସରକାର ସପକ୍ଷରେ ୧୨୯ ଭୋଟ୍, ବିରୋଧୀଙ୍କ କକ୍ଷତ୍ୟାଗ । ନୀତିଶ କହିଲେ, ସବୁଦିନ ପାଇଁ ଫେରିଛି ଏନଡିଏ

114

କନକ ବ୍ୟୁରୋ: ପୁଣିଥରେ ବହୁମତ ହାତେଇଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ଆସ୍ଥା ଭୋଟରେ ବାଜି ମାରିଛନ୍ତି ନୀତିଶ । ନୀତିଶ କୁମାରଙ୍କ ମେଣ୍ଟ ସରକାର ଏନଡିଏ ବା ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସକୁ ମୋଟ୍ ୧୨୯ଟି ଭୋଟ୍ ମିଳିଛି । ଏହାରି ଭିତରେ ବିରୋଧୀ ବିଧାୟକ ଗୃହ ତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ନୀତିଶ କୁମାରଙ୍କୁ ଗୃହରେ ଜବରଦସ୍ତ ବିରୋଧ କରିଥିଲେ ।

  • ବିଶ୍ୱାସ ଜିତିଲେ ନୀତିଶ
  • ଆସ୍ଥା ଭୋଟରେ ହାତେଇଲେ ବହୁମତ

ବିହାର ବିଧାନସଭାରେ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ ବାଜି ମାରିଛନ୍ତି ନୀତିଶ କୁମାର । ଏନଡିଏ ମେଣ୍ଟ ସରକାର ସପକ୍ଷରେ ମୋଟ୍ ୧୨୯ଟି ଭୋଟ ପଡିଛି । ଆସ୍ଥା ଭୋଟ ପୂର୍ବରୁ ବିରୋଧୀ ଗୃହତ୍ୟାଗ କରିଥିବାରୁ ବିପକ୍ଷରେ କୌଣସି ଭୋଟ ପଡିନାହିଁ । ଆସ୍ଥା ଭୋଟ ପୂର୍ବରୁ ନୀତିଶ କୁମାର ଗୃହରେ ଆରଜେଡି ଉପରେ ଜୋରଦାର ବର୍ଷିଥିଲେ । ନୀତିଶ କହିଥିଲେ, ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଜାଣିବାକୁ ପାଇଲୁ ସେମାନେ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ୨୦୦୫ ମସିହାରୁ ମୁଁ ବିହାରରେ କ୍ଷମତାରେ ଆସିବା ପରଠାରୁ ରାଜ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି । ଏହା ପୂର୍ବରୁ କେତେ ବିକାଶ ମୂଳକ କାମ ହୋଇଥିଲା ସେ କଥା ଜନତା ଜାଣିଛନ୍ତି । ରାସ୍ତା ନଥିଲା, ବିଜୁଳି ନଥିଲା ଏପରିକି ଲୋକଙ୍କୁ ମୌଳିକ ଅଧିକାର ବି ମିଳୁ ନଥିଲା ।

  • ବିହାର ବିଧାନସଭାରେ ଶକ୍ତି ପ୍ରଦର୍ଶନ
  • ନୀତିଶଙ୍କ ଭର୍ତ୍ସନା କଲେ ତେଜସ୍ୱୀ

କିଛି ଦିନ ପୂର୍ବରୁ ନୀତିଶ-ତେଜସ୍ୱୀଙ୍କ ମିଳିତ ସରକାର ବିହାରରେ ଶାସନ ଭାର ସମ୍ଭାଳୁଥିଲେ । ହେଲେ ବିରୋଧୀ ମେଣ୍ଟରୁ ବାହାରି ବିଜେପିର ଏନଡିଏ ସହ ହାତ ମିଳାଇଲେ ନୀତିଶ । ପଲଟୁ ରାମ ପୁଣିଥରେ ନିଜ ମତ ବଦଳାଇ ଏନଡିଏ ସହ ମିଶି ପୁଣି ସରକାର ଗଠନ କଲେ । ଆଉ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ନୀତିଶ କୁମାର । ଏହାପରେ ସୋମବାର ବିଧାନସଭାରେ ଶକ୍ତି ପରୀକ୍ଷା ଦେଇଛନ୍ତି ନୀତିଶ । ହେଲେ ତାଙ୍କର ଏଭଳି ଦଳ ବଦଳିବା ନୀତି ପାଇଁ ତାଙ୍କୁ ଜବରଦସ୍ତ ଭର୍ତ୍ସନା କରିଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ତେଜସ୍ୱୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଣି ବଦଳିବେ ନାହିଁ ଏକଥାର ଗ୍ୟାରେଂଟି ମୋଦୀ ଗ୍ୟାରେଂଟି ଦେଉଥିବା ଲୋକେ ଦେଇ ପାରିବେ କି ?

କେମିତି ବାଜି ମାରିଲେ ନୀତୀଶ ?

  • ବିଜେପି – ୭୮
  • ଜେଡିୟୁ – ୪୩
  • ହମ୍ – ୪
  • ସ୍ୱାଧୀନ – ୧
  • ଆରଜେଡି – ୩

ବିରୋଧୀ ମହାମେଣ୍ଟର ସଂଖ୍ୟା ୧୧୨ 

  • ଆରଜେଡି – ୭୬
  • କଂଗ୍ରେସ – ୧୯
  • ବାମପନ୍ଥୀ – ୧୬
  • ଏଆଇଏମଆଇଏମ୍ -୧

ବିହାର ରାଜନୀତିରେ ଡ୍ରାମା କିଛି ନୂଆ କଥା ନୁହେଁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବିରୋଧୀଙ୍କୁ ଛାଡି ଏନଡିଏ ସହ ମିଶି ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ଚଳିତ କାର୍ଯ୍ୟକାଳ ଭିତରେ ତୃତୀୟ ଥର ଶପଥ ନେଇ ରେକର୍ଡ ସୃଷ୍ଟି କରିଛନ୍ତି ନୀତିଶ ।