କନକ ବ୍ୟୁରୋ: ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଓଡ଼ିଶା । ନୀତିଶ କୁମାର, ମୁଖ୍ୟମନ୍ତ୍ରୀ ବିହାର । ଭାରତୀୟ ରାଜନୀତିର ଏହି ଦୁଇ ପୁରୁଖା ରାଜନେତା ଭେଟଘାଟ କାର୍ଯ୍ୟକ୍ରମ ଉପରେ ରହିଛି ସାରା ଦେଶର ନଜର । କାରଣ, ଏହି ଦେଖା-ସାକ୍ଷତ ସେତେବେଳେ ହେବାକୁ ଯାଉଛି, ଯେତେବେଳେ ଜେଡିୟୁ ନେତା ନୀତିଶ କୁମାର ସାରା ଦେଶର ବିରୋଧୀ ଦଳର ନେତାଙ୍କୁ ଏକାଠି କରିବାର ଆହ୍ୱାନ ଦେଉଛନ୍ତି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଆସି, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସାରା ଦେଶର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି ।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସୁଛନ୍ତି ନୀତିଶ କୁମାର । ନୀତିଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନିବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତିଶ ନବୀନ ନିବାସ ଆସିଛନ୍ତି । କିନ୍ତୁ ଆସନ୍ତାକାଲିର ଗସ୍ତ ଅନେକ ଗୁଡ଼ିଏ ଚର୍ଚ୍ଚା ଆଲୋଚନା ସୃଷ୍ଟି କରିଛି ।

ନବୀନଙ୍କୁ କ’ଣ ପ୍ରସ୍ତାବ ଦେବେ ନୀତିଶ?
କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରିବେ ନବୀନ-ନୀତିଶ?
ତୃତୀୟ ସାମୁଖ୍ୟ ଆଡ଼କୁ ଢ଼ଳିବେ କି ନବୀନ?

ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ଦୁଇ-ତିନୋଟି ଏମିତି ପ୍ରସଙ୍ଗ ରହିଛି ଯାହା ଜଳଜଳ ହୋଇଦେଖାଯାଉଛି । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ବଜାୟ ରଖି ଆସିଛି ବିଜୁ ଜନତା ଦଳ । ଅନ୍ୟ ନେତାଙ୍କ ଭଳି ନବୀନ ପଟ୍ଟନାୟକଙ୍କ ଜାତୀୟ ରାଜନୀତିର ଅଭିଳାଷା ହୁଏତ ନାହିଁ । ମୁଖ୍ୟମନ୍ତ୍ରୀ ଭାବେ ୫ ଥର ନିର୍ବାଚିତ ହେବା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସେମିତି ଅତୁଟ ରହିଛି ବୋଲି କୁହାଯାଏ । ତେବେ ବିଜେପିର ଅଡୁଆ ସମୟରେ ବିଜେଡି ପାଖରେ ଠିଆ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୁଏ । ଆଉ ଏସବୁ ଭିତରେ ନୀତିଶଙ୍କ ଓଡ଼ିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ରାଜନୀତିର ଏହି ବୟାନବାଜି ଭିତରେ ଚର୍ଚ୍ଚା ହେବାର ପ୍ରମୁଖ କାରଣ ହେଉଛି, ବିହାର ମୁଖ୍ୟମନ୍ତ୍ରୀଙ୍କ ଦାବି । ଗତ ଫେବୃୟାରୀ ମାସରେ ନୀତିଶ କହିଥଲେ- କଂଗ୍ରେସ ସମେତ ଯଦି ସମସ୍ତ ବିରୋଧୀ ଦଳ ଏକତ୍ରିତ ହୁଅନ୍ତି, ତେବେ ୨୦୨୪ରେ ବିଜେପି ୧୦୦ ଆସନ ଭିତରେ ସୀମିତ ରହିବ । ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ବିରୋଧୀ ଦଳକୁ ଏକାଠି କରି ବିଜେପି ବିରୋଧରେ ଛିଡ଼ା କରିବା ତାଙ୍କ ଲକ୍ଷ୍ୟ । ଏମିତି କି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ମଧ୍ୟ କହିଥିଲେ ନୀତିଶ କୁମାର ।