ଜାତିଗତ ଜନଗଣନାକୁ ନେଇ ବିହାରରେ ରାଜନୀତି । କଣ କରିବ ବିଜେପି? ସମର୍ଥନ କରିବ ନା ବିରୋଧ କରିବ…

123

କନକ ବ୍ୟୁରୋ: ବିହାରରେ ଜାତିଗତ ଜନଗଣନାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ମହାମେଣ୍ଟ ସରକାର ଏହି ଗଣନାକୁ ନେଇ ସବୁତକ ଶ୍ରେୟ ନେବାକୁ ଚେଷ୍ଟା କରୁଥିବାବେଳେ, ବିଜେପି କିନ୍ତୁ ଏହି ମାମଲାରେ ସାମାନ୍ୟ ଦ୍ୱନ୍ଦ୍ୱରେ ଥିବା ଭଳି ମନେ ହେଉଛି । ଅସଲ କଥା ହେଉଛି, ୨୦୨୨ ଅଗଷ୍ଟ ମାସରେ ନୀତିଶ ସରକାର ଏହି ଜାତିଗତ ଜନଗଣନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା । ହେଲେ ସେତେବେଳେ ବିହାରରେ ବିଜେପି-ଜେଡିୟୁ ମେଣ୍ଟର ସରକାର ଥିଲା । ହେଲେ ଏବେ କିନ୍ତୁ ନୀତିଶ ବିଜେପି ସହ ସମ୍ପର୍କ ଭାଙ୍ଗି ଆରଜେଡି ସହ ସମ୍ପର୍କ ଯୋଡିଛନ୍ତି । ତେଣୁ ବିହାରର ଏହି ଜାତିଗତ ଜନଗଣନାକୁ ନା ବିଜେପି ସହିପାରୁଛି, ନା ଖୋଲାଖୋଲି ବିରୋଧ କରିପାରୁଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ‘ସମାଧାନ ଯାତ୍ରା’ କରୁଛନ୍ତି । ଏହି ଯାତ୍ରାରେ ସେ କହିଛନ୍ତି ଯେ, ଏହି ସର୍ଭେ ଦ୍ୱାରା ଜାତି ଓ ସମୁଦାୟକୁ ନେଇ ବିସ୍ତୃତ ରେକର୍ଡ ପ୍ରସ୍ତୁତ କରାଯିବ । ଏହି ଜନଗଣନା କେବଳ ଜାତିର ଗଣନା ନୁହେଁ । ତେବେ ରାଜ୍ୟର ପ୍ରତି ପରିବାର ଆର୍ଥିକ ଭାବେ କେତେ ମଝବୁତ୍ ତାହା ଏହି ଗଣନା ଦ୍ୱାର ଜଣାପଡିବ । ଯାହାଫଳରେ ସରକାର ସେମାନଙ୍କର ବିକାଶ ପାଇଁ କାମ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ଅନ୍ୟପଟେ ଆରଜେଡି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏହି ସର୍ଭେ ଦ୍ୱାରା ସରକାର ଗରିବ ଲୋକଙ୍କ ବିକାଶ କରିବାକୁ ଚେଷ୍ଟା କରିବ । ବିଜେପି ଏହି ଜାତିଗତ ଜନଗଣନା କରିବାକୁ ଚାହୁଁନାହିଁ ବୋଲି ତେଜସ୍ୱୀ କହିଛନ୍ତି ।
ମହାମେଣ୍ଟ ନେତାଙ୍କ ଏଭଳି ବୟାନ ପରେ କିନ୍ତୁ, ଜାତିଗତ ଜନଗଣନାକୁ ନେଇ ବିହାରରେ ସାମାନ୍ୟ ଦ୍ୱନ୍ଦ୍ୱରେ ଅଛି ବିଜେପି । କାହିଁକି ନା, ଦଳ ଏହାକୁ ସମର୍ଥନ କରିପାରୁନି, ବିରୋଧ ବି କରିପାରୁନି । ବିଜେପି ସାଂସଦ ସୁଶୀଲ ମୋଦୀ କହିଛନ୍ତି, ଯେତେବେଳେ ଜାତିଗତ ଜନଗଣନା କ୍ୟାବିନେଟରେ ପାରିତ ହେଲା, ସେତେବେଳେ ତେଜସ୍ୱୀ ଉପ-ମୁଖ୍ୟମନ୍ତ୍ରୀ ନଥିଲେ । ତେଣୁ ଏହାର ଶ୍ରେୟ ସେ ନେଇପାରିବେ ନାହିଁ । କର୍ଣ୍ଣାଟକ, ତେଲେଙ୍ଗାନା ପରେ ବିହାର ହେଉଛି ତୃତୀୟ ରାଜ୍ୟ ଯେଉଁଠି ବିଜେପି ସମର୍ଥନରେ ଜାତିଗତ ଜନଗଣନା ହେଉଛି । ହେଲେ ଏ ସବୁ ଭିତରେ ବି, ଏହି ଜାତିଗତ ଜନଗଣନା ରିପୋର୍ଟ ସାର୍ବଜନୀନ କରିବାକୁ ସୁଶୀଲ ମୋଦୀ ଦାବି କରିଛନ୍ତି ।

ସେହିପରି ବିହାରରେ ଏନଡିଏ ସରକାର ବେଳେ ଉପ-ମୁଖ୍ୟମନ୍ତ୍ରୀ ଥିବା ତାରକେଶ୍ୱର ପ୍ରସାଦଙ୍କ କହିବା କଥା, ମହାମେଣ୍ଟ ସରକାର ତରଫରୁ କରାଯାଉଥିବା ଏହି ଜାତିଗତ ଜନଗଣନା ସମାଜରେ ବିକାଶ ବଦଳରେ ତୁଷ୍ଟୀକରଣ ରାଜନୀତିକୁ ଆଗକୁ ବଢେଇବ । ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଜାତିଗତ ଜନଗଣନାକୁ ବିରୋଧ କରିନଥିଲେ ବି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜାତିଗତ ଜନଗଣନାକୁ ବିରୋଧ କି ସମର୍ଥନ କରିବା ପଛରେ ରାଜନୀତିର ଗନ୍ଧ ହିଁ ବାରି ହୋଇପଡୁଛି । ଜାତିଗତ ଜନଗଣନାକୁ ସମର୍ଥନ କରିବା ଦ୍ୱାରା ଏହାର ପ୍ରଭାବ ଭୋଟ୍ ବ୍ୟାଙ୍କ ଉପରେ ପଡିବ । ବିଶେଷକରି ପଛୁଆ ଜାତି ଭାବେ ଥିବା ୫୨ ପ୍ରତିଶତଙ୍କ ଭୋଟରଙ୍କ ସିଧାସଳଖ ପ୍ରଭାବ ଏହା ଉପରେ ପଡିବ । ଅନ୍ୟପଟେ ଏହାକୁ ସମର୍ଥନ କରିବା ଅର୍ଥ ଉଚ୍ଚ ଜାତିଙ୍କ ସମର୍ଥନ ହରାଇବାକୁ ପଡିବ । ତେଣୁ ବିହାରରେ ଏବେ ଜାତିଗତ ଜନଗଣନାକୁ ସମର୍ଥନ ନା ବିରୋଧ କରିବେ ସେ ନେଇ ଚିନ୍ତାରେ ସମସ୍ତ ରାଜନୈତିକ ଦଳ ।

ବିହାର ରାଜନୀତିରେ ଲମ୍ବା ସମୟ ଧରି ଓବିସି ସମୁଦାୟର ପ୍ରଭାବ ରହିଆସିଛି । ବିଜେପିଠାରୁ ଆରମ୍ଭ କରି ଆରଜେଡି ଓ ଜେଡିୟୁ ଓବିସି ମୁଦ୍ଦାକୁ ନେଇ ରାଜନୀତି କରିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଜାତିଗତ ଜନଗଣନା ଦାବି ଓବିସି ବର୍ଗ ହିଁ ଉଠାଇଥିଲେ । ତେଣୁ ଏହାକୁ ନେଇ ଏବେ ତେଜିଛି ବିହାର ରାଜନୀତି ।