କନକ ବ୍ୟୁରୋ : ବିହାର ବକ୍ସରରେ ପୋଲିସର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ରାତି ୧୨ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ପୋଲିସ ବର୍ବରତା ପୂର୍ବକ ଲାଠିଚାର୍ଜ କରିଥିଲା । ଏହାର ଭିଡିଓ କୃଷକଙ୍କ ପରିବାର ସଦସ୍ୟ ସାମ୍ନାକୁ ଆଣିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅପରାଧୀଙ୍କ ଆଗରେ ହାତ ଟେକିଦେଉଥିବା ପୋଲିସ ନିରୀହ କୃଷକଙ୍କ ଉପରେ ଲାଠିଚାର୍ଜ କାହିଁକି କଲା? ତେବେ ପୋଲିସର ଏଭଳି ବ୍ୟବହାର ପରେ କୃଷକମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

Advertisment

ଚୌସା ଏସଜେବିଏନ ଦ୍ୱାରା ପାୱାରପ୍ଲାଣ୍ଟପାଇଁ କୃଷକଙ୍କ ଭୂମି ଅଧିଗ୍ରହଣ ୨୦୧୦-୧୧ ମସିହା ପୂର୍ବରୁ କରାଯାଇଥିଲା । ସେହି ସମୟର ଦର ଅନୁସାରେ କୃଷକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇଥିଲା । କମ୍ପାନୀ ୨୦୨୨ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ କୃଷକମାନେ ବର୍ତ୍ତମାନର ଦର ହିସାବରେ କ୍ଷତିପୂରଣ ଦାବି କରିଥିଲେ ।

କୃଷକମାନେ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ପୁରୁଣା ଦର ଦେଇ ଜମି ଅଧିଗ୍ରହଣ ଜୋର ଜବରଦସ୍ତି କରୁଛି । ଏହାର ବିରୋଧରେ ଗତ ୨ ମାସ ହେବ କୃଷକମାନେ ଆନ୍ଦୋଳନ କରିଚାଲିଛନ୍ତି । ଏହାକୁ ନେଇ ପୋଲିସ ରାତିରେ କୃଷକଙ୍କ ଘରେ ପସି ମହିଳା-ପୁରଷଙ୍କ ସମେତ ଶିଶୁଙ୍କ ଉପରେ ଲାଠିଚାଳଣା କରିଥିଲା । ଏହା ପରେ ନାରାଜ କୃଷକ ମାନେ ପୋଲିସର ଅନେକ ଗାଡିରେ ନିଆଁଲଗାଇ ଦେଇଛନ୍ତି ।