ରାଜନୀତି ମୈଦାନରେ ଥରେ ଜିତାପଟ ପରେ ଏବେକାର ନେତା ମାଲେ ମାଲ । ଘର ହେଉ କି ଗାଡି ଅବା ବ୍ୟାଙ୍କ ବାଲାନ୍ସ ସାତ ପୁରୁଷ ପାଇଁ ସେମାନେ ଯୋଗାଡ କରି ନିଅନ୍ତି  । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ବି ତାଙ୍କ ପାଖରେ ନା ଅଛି ରହିବାକୁ ଖଣ୍ଡେ ଘର ନା ଯାତାୟତ କରିବାକୁ ଗାଡି । 

4,969

କନକ ବ୍ୟୁରୋ : ବିହାରର ଜଣେ ମୁଖ୍ୟମନ୍ତ୍ରୀ ଯିଏ କି ଜନନାୟକ ଭାବରେ ପରିଚିତ ଥିଲେ । ତିନି ଦଶନ୍ଧି ଧରି ସେ ରାଜନୀତି କରିଥିଲେ  । କେବେ ଉପମୁଖ୍ୟମନ୍ତ୍ରୀ ତ କେବେ ମୁଖ୍ୟମନ୍ତ୍ରୀ ଭାବେ ସେ ଶାସନ ଭାର ସମ୍ଭାଳି ଥିଲେ । ହେଲେ ଏବେ ତାଙ୍କ ପାଖରେ ରହବାକୁ ନା ଅଛି ଘର ନା ଯାତାୟତ କରିବାକୁ ଗାଡି । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଏହି ଜନ ନାୟକ ଜଣକ ଏବେ ରିକ୍ସାରେ ଯିବା ଆସିବା କରୁଛନ୍ତି । ଯାହା କି ଏବେକାର କ୍ଷମତାଶାଳୀ ଲୋକଙ୍କ ପାଇଁ ଏକ ଉଦହରଣ ।

ଏବେ ବିହାରରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଦ, ମାଂସ, ଟଙ୍କାର ସ୍ରୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ବିହାରର ମୁଖ୍ୟମନ୍ତ୍ରୀ  ଥିବା ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦଣ୍ଡିତ ହୋଇଛନ୍ତି । ହେଲେ ସେହି ବିହାରରେ  ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଜଣେ ଜନନାୟକ ଏବେ ରିକ୍ସାରେ ଯିବା ଆସିବା କରୁଛନ୍ତି । ଯାହାର ଉଦାହରଣ ରାଜନୀତିରେ ବିରଳ ।

ଆମେ ବିହାରର ଜନନାୟକ ଭାବେ ଜଣାଶୁଣା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ କଥା କହୁଛୁ । ସେ ଏକା ଧାରରେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ରାଜନେତା ଓ ବିହାରର ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ ଓ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ  ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ପଛୁଆ ସଂପ୍ରଦାୟରୁ ଆସିଥିଲେ ଓ ତାଙ୍କର ଆଦର୍ଶ ବା ଗୁରୁ ଥିଲେ ଜୟପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିଆ । ସେ ୧୯୭୦ ଦଶକରେ ଦୁଇ ଦୁଇ ଥର ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ପଛୁଆ ବର୍ଗଙ୍କୁ ୭୦ ପ୍ରତିଶତ ସଂରକ୍ଷଣ ଦେଇଥିଲେ ।

୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ବିହାରର ସମଷ୍ଟିପୁର ପିଟାନଝାରିଆ (ବର୍ତମାନର କର୍ପୁରୀ ଗ୍ରାମ) ରେ ଜନ୍ମ ଗ୍ରହଣ କରିଥିବା କର୍ପୁରୀ ଠାକୁର ବିହାରର ପ୍ରଥମ ଅଣ- କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ବିହାର ଶାସନରେ ସେ ଦୁଇଥର ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଲୋକ ମାନଙ୍କ ପାଖରେ ଏତେ ପ୍ରିୟ ଥିଲେ କି ୧୯୫୨ ରେ ପ୍ରଥମ ବିଧାନସଭା ନିର୍ବାଚନ ଜିତିବା ପରେ ସେ କେବେ ବି ନିର୍ବାଚନ ହାରି ନଥିଲେ ।

ତାଙ୍କ ଜୀବନର ସବୁଠାରୁ ବଡକଥା ଥିଲା କି ସେ ଯେବେ ୧୯୫୨ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନ ଲଢି ବିଧାୟକ ଭାବେ ବିହାର ବିଧାନସଭାରେ ପହଂଚିଥିଲେ ତାଙ୍କୁ ୟୁଗସ୍ଲଭିଆ ଯିବାକୁ ଥିବା ଏକ ପ୍ରତିନିଧି ମଣ୍ଡଳରେ ଚୟନ କରାଯାଇଥିଲା । ହେଲେ ସେ ୟୁଗସ୍ଲଭିଆ ଯିବା ପାଇଁ ତାଙ୍କ ପାଖରେ ଏକ କୋର୍ଟ ବି ନଥିଲା । ତେଣୁ ସେ ତାଙ୍କ ବନ୍ଧୁଙ୍କୁ ଏକ କୋର୍ଟ ମାଗିଥିଲେ । ହେଲେ ବନ୍ଧୁ ଯେଉଁ କୋର୍ଟ ଟି ଦେଇଥିଲେ ତାହା ଚିରା ଥିଲା । ତାହାକୁ ପିନ୍ଧି ସେ ୟୁଗସ୍ଲଭିଆ ଯାଇଥିଲେ । ସେଠାରେ ପହଂଚିବା ପରେ ୟୁଗସ୍ଲଭିଆର ଶାସକ ମାର୍ଶଲ ଟିଟିଓ ଏହା ଦେଖି ତାଙ୍କୁ ଏକ କୋଟ୍ କିଣି ଦେଇଥିଲେ ।

ତାଙ୍କ ରାଜନୈତୀକ କାଳରେ ଆଉ ଏକ ଚର୍ଚ୍ଚିତ ଘଟଣା ସେତେବେଳେ ସମସ୍ତଙ୍କୁ ଚକିତ କରିଥିଲା ।  ତାଙ୍କ ଗାଁରେ କିଛି ଲୋକ ଝଗଡା କରି କର୍ପୁରୀ ଠାକୁରଙ୍କ ବାପାଙ୍କୁ ଅପମାନିତ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଡିଏମ୍ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ଗାଁରେ ପହଂଚିଥିଲେ । ହେଲେ କପୁରୀ ଠାକୁର କହିଥିଲେ କି କାର୍ଯ୍ୟାନୁଷ୍ଠାନ ବନ୍ଦ କର । କାରଣ ଆଜି ସାରା ଦେଶରେ ପଛୁଆବର୍ଗର ଲୋକମାନେ ଲାଂଛିତ ଓ ଅପମାନିତ ହେଉଛନ୍ତି । ସେଠାରେ ବି ପୋଲିସ ଅଛି ହେଲେ ଆପଣ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏହି ମାନସିକ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବେ କି ?

୧୯୬୦ ଦଶକରେ ଦେଶରେ ସମାଜବାଦୀ ଆନ୍ଦୋଳନ କଂଗ୍ରେସ ବିରୋଧରେ ତୀବ୍ର ହେଉଥାଏ । ୧୯୬୭ ସାଧାରଣ ନିର୍ବାଚନରେ ଡ. ରାମ ମନୋହରଲାଲ ଲୋହିଆଙ୍କ ନେତୃତ୍ୱରେ ଅଣ- କଂଗ୍ରେସବାଦ ଆନ୍ଦୋଳନ ଜୋର ଧରିଥିଲା । ଏହି ବେଳେ ବିହାରରେ କଂଗ୍ରେସ ପରାସ୍ତ ହୋଇଥିଲା ଓ ପ୍ରଥମଥର ପାଇଁ ବିହାରରେ ଅଣ- କଂଗ୍ରେସ ସରକାର ଗଠନ ହୋଇଥିଲା । କ୍ଷମତାରେ ସାଧାରଣ ଲୋକ ଓ ପଛୁଆବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । କର୍ପୁରୀ ଠାକୁର ସେହି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କଲେ । ୧୯୭୭ ରେ ଜନତା ପାର୍ଟିର ବିଜୟ ପରେ ସେ ବିହାରର ମୁଖ୍ୟମନ୍ତ୍ରୀ  ହୋଇଥିଲେ । ଏହି ସମୟରେ ସେ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଅନୁମୋଦନ କରିଥିଲେ ।

ସେ ରାଜନୀତିରେ ଏତେ ଉଚ୍ଚ ପଦ ପଦବୀରେ ରହିବା ପରେ ବି ସେ ଯେତେବେଳେ ମୃତ୍ୟୁବରଣ କରିଥିଲେ  ତାଙ୍କ ଉତ୍ତରାଧିକାରୀ ରହିବା ପାଇଁ ଘର ଖଣ୍ଡେ ନଥିଲା । ଏହା ସହ ନା ପାଟନା ନା ତାଙ୍କ ଗାଁ କେଉଁଠାରେ ବି ତାଙ୍କ ନାମରେ ଏକ ଇଂଚ ଜମି ନଥିଲା ।

କର୍ପୁରୀ ଠାକୁରଙ୍କ ଆର୍ଥିକ ଅଭାବକୁ ଦୃଷ୍ଟିରେ ରଖି ଦେବୀଲାଲ ନାମକ ଜଣେ ବନ୍ଧୁ ତାଙ୍କୁ କହିଥିଲେ କି ମୁଁ ଆପଣଙ୍କୁ ୫/୧୦ ହଜାର ଟଙ୍କା ଦେବାକୁ ଚାହୁଁଛି । ଏହା ଶୁଣି କର୍ପୁରୀ ଠାକୁର କହିଥିଲେ କି ଏହା ମୋ ଉପରେ ଆପଣଙ୍କର ଋଣ ହେବ । ମୁଁ ଜୀବନରେ କହାଠାରୁ ଋଣ କରିବାକୁ ଚାହୁଁନାହିଁ । କାରଣ ମୁଁ ଜନସେବା କରିବାକୁ ରାଜନୀତି କରୁଛି ମୋ ପାଖରେ ଟଙ୍କା କାହିଁ ଯେ ମୁଁ ଆପଣଙ୍କ ଋଣ ସୁଝିବି ।

ଜନନାୟକ କର୍ପୁରୀ  ଠାକୁର ୧୯୮୮ ଫେବୃଆରୀ ୧୭ ତାରିଖରେ ୬୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁପରେ ହେମାବତି ନନ୍ଦନ ବହୁଗୁଣା ଥରେ ତାଙ୍କ ଗାଁକୁ ଯାଇଥିଲେ । ସେଠାରେ ସେ କର୍ପୁରୀ ଠାକୁରଙ୍କର ପରପୀଢୀ ରହୁଥିବା ଘର ଓ ଅବସ୍ଥାକୁ ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।