କନକ ବ୍ୟୁରୋ : ପ୍ରଥମେ ନିଜ ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଓ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ବିହାର କ୍ୟାବିନେଟରେ କୃଷିମନ୍ତ୍ରୀ ଥିବା ଆରଜେଡି ବିଧାୟକ ସୁଧାକର ସିଂ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛିଦିନ ହେବ ସେ ନିଜ ସରକାରଙ୍କ ବିରୋଧରେ ବାରମ୍ବାର ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଆଜି ସେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

Advertisment

ସୂଚନା ଥାଉକି ସୁଧାକର ସିଂ ବିହାର ପ୍ରଦେଶ ମୁଖ୍ୟ ଜଗଦାନନ୍ଦ ସିଂଙ୍କ ପୁଅ । ଏବେ ଏବେ ନୀତିଶଙ୍କ ସହ ମେଣ୍ଟ କରି ଆରଜେଡି ସରକାର ଗଠନ କରିବା ପରେ ସୁଧାକରଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ଓ ତାଙ୍କୁ କୃଷି ବିଭାଗ ମିଳିଥିଲା । ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ବାପା ଜଗଦାନନ୍ଦ ସିଂ ସୂଚନା ଦେଇଛନ୍ତି ।

ମେଣ୍ଟ ସରକାରରେ ଆରଜେଡି କୋଟାରୁ ମନ୍ତ୍ରୀ ହୋଇଥିବା ସୁଧାକର କିଛିଦିନ ତଳେ ନିଜ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ସେ ଏକ ଖୋଲାମଞ୍ଚରେ ବିହାର କୃଷି ବିଭାଗର ଅଧିକାରୀଙ୍କୁ ଚୋର କହିବା ସହ ନିଜକୁ ତାଙ୍କର ସର୍ଦ୍ଦାର ବୋଲି କହିଥିଲେ । ତାଙ୍କର ଏଭଳି ବୟାନକୁ ନେଇ ବିହାର ରାଜନୀତି ବେଶ୍ ସରଗରମ ହୋଇଥିଲା ।

ସୁଧାକରଙ୍କ ଏଭଳି ବୟାନକୁ ନେଇ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୂୁମାର ତାଙ୍କୁ ରୋକିଥିଲେ । ଏହାପରେ ସୁଧାକର ସିଧାସଳଖ ଭାବେ କ୍ୟାବିନେଟ ବୈଠକରୁ ଉଠି ପଳାଇ ଆସିଥିଲେ ।