ପୁଣି ମୁମ୍ବାଇରେ ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଭୋଜପୁରୀ ଅଭିନେତା ଅକ୍ଷତ ଉତ୍କର୍ଷ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କଥା ହୋଇଥିଲେ ବାପାଙ୍କ ସହ । 

443

କନକ ବ୍ୟୁରୋ : ମୁମ୍ବାଇରେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ମୁମ୍ବାଇ ଅନେ୍ଧରୀସ୍ଥିତ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ୨୬ ବର୍ଷିୟ ଅଭିନେତା ଅକ୍ଷତ ଉତ୍କର୍ଷ । ତାଙ୍କ ମୃତ୍ୟୁ ପଛରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି । ଏହାସହ ପୋଲିସ ମଧ୍ୟ ଠିକ ସମୟରେ ତଦନ୍ତ କରିନଥିବା ଅଭିଯୋଗ କରିଛନ୍ତି ଉତ୍କର୍ଷଙ୍କ ପରିବାର ।

ଉତ୍କର୍ଷଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି ହେଲେ ପରିବାର ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଉତ୍କର୍ଷଙ୍କ ମୃତ୍ୟୁ ପଛରେ କିଛି ବଡ ଷଡଯନ୍ତ୍ର ଥାଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ମୁତାବିକ ଉତ୍କର୍ଷ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ।

ଉତ୍କର୍ଷ ବିହାର ମୁଜାଫର ନଗର ଅଞ୍ଚଳର ବାସିନ୍ଦା । ସେ ଲଖ୍ନୌରେ ଏମବିଏ ପଢିବା ପାଇଁ ଆସିଥିଲେ । ହେଲେ ଅଭିନେତା ହେବାର ନିଶା ତାଙ୍କୁ ମୁମ୍ବାଇ ନେଇ ଆସିଥିଲା । ସେଠାରେ ସେ ଭୋଜପୁରୀ ଫିଲ୍ମ ପାଇଁ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ । ଗତ ଦୁଇ ବର୍ଷ ହେବ ସେ ଅନେ୍ଧରୀର ସୁରେଶ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ।

ଉତ୍କର୍ଷଙ୍କ ବାନ୍ଧବୀ ତାଙ୍କ ମୃତ୍ୟୁ ନେଇ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ କହିବାନୁସାରେ ଉତ୍କର୍ଷ ମୁମ୍ବାଇରେ ଏକ ଘରୋଇ କମ୍ପାନିରେ ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲେ । ସେ ଆଗାମୀ ଚଳଚ୍ଚିତ୍ର ଲିଟି ଚୋଖାରେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ପୋଲିସ କହିବା ମୁତାବିକ ଉତ୍କର୍ଷ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ହେଲେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । କ’ଣ ରହିଛି ଅଭିନେତା ଉତ୍କର୍ଷଙ୍କ ମୃତ୍ୟୁର କାରଣ । ଏଥିପାଇଁ ବାନ୍ଧବୀ ଦାୟୀ ନା ଆଉ କିଛି ଅନ୍ୟ କାରଣ । ଏନେଇ ତନାଘନା ଚଲାଇଛି ପୋଲିସ ।