ବିହାର କଇମୁରରୁ ଆସିଲା ଅମାନବିକତାର ଦୃଶ୍ୟ । ବୃଦ୍ଧଙ୍କ ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ପିଟି ଚାଲିଲେ ଟ୍ରାଫିକ୍ କନେଷ୍ଟବଳ, ସାଇକେଲରେ ଯାଉଥିବାବେଳେ ଗଳି ପଡିଥିଲେ ବୃଦ୍ଧ ଶିକ୍ଷକ

261

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଚାଲିଥାଏ ନିର୍ଦ୍ଧୁମ ମାଡ଼ । ଭିଡ଼ ଭିତରେ ଯିଏ ଯାହା ବାଟରେ ଚାଲି ଯାଉଛନ୍ତି । କେହି ଶୁଣୁ ନଥାନ୍ତି ତାଙ୍କର ବିକଳ ସ୍ୱର । ବୟସ ତାଙ୍କର ପାଖାପାଖି ୬୫ ବର୍ଷ । ସାଧାରଣ ବୃଦ୍ଧ ପରି ଦେଖାଯାଉଥିଲେ । ହେଲେ କାହିଁକି ସେ ବିକଳରେ କହୁଥିଲେ ମତେ ମାରନି ମତେ ମାରନି । ଏହି ଭିଡ଼ିଓ ଦେଖିଲେ ଆପଣ ଜାଣିପାରିବେ । ଘଟଣାଟି ବିହାରର କୈମୁରର ବୋଲି ଜଣାପଡ଼ିଛି । ଗୋଟିଏ ପଟେ ବୃଦ୍ଧ ଜଣକ ଏବଂ ଅନ୍ୟପଟେ ଥିଲେ ଦୁଇ ମହିଳା କନେଷ୍ଟବଳ । କେହି କିଛି ବୁଝିବା ଆଗରୁ ବୃଦ୍ଧଙ୍କ ଉପରେ ଲାଠି ମାଡ଼ ବର୍ଷା କରିଚାଲିଥିଲେ ଏହି ଦୁଇ ମହିଳା କନେଷ୍ଟବଳ । କେବେ ହାତକୁ ତ କେବେ ଛାତି ଉପରେ ମାଡ଼ ମାରି ଚାଲିଥାନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ତେବେ ମିଳିଥିବା ସୂଚନା ଅନୁସାରେ , ଭିଡ଼ିଓରେ ମାଡ଼ ଖାଉଥିବା ବୃଦ୍ଧ ନବଲ କିଶୋର ପାଣ୍ଡେ ସ୍ଥାନୀୟ ଅଂଚଳର ଇଂରାଜୀ ଶିକ୍ଷକ । ତେବେ ସେ ରାସ୍ତା ପାର ହେଉଥିବା ସମୟରେ ତାଙ୍କ ସାଇକେଲ ପଡ଼ିଯାଇଥିଲା । ଫଳରେ ରାସ୍ତା ଜାମ ହୋଇଯାଇଥିଲା । ଡ୍ୟୁଟି ସମୟରେ ଥିବା କନେଷ୍ଟବଳ ଜଣକ ବୃଦ୍ଧଙ୍କୁ କହିଥିବା କଥା ବୃଦ୍ଧଙ୍କୁ ଶୁଭି ନଥିଲା ଏବଂ ସାଇକେଲ ଉଠାଇବାରେ ବିଳମ୍ବ ହୋଇଥିଲା । ତେବେ ଏସବୁ କିଛି ବୁଝିବା ଆଗରୁ ହିଁ ବୃଦ୍ଧ ଜଣଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । ଅନ୍ୟପଟେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଏସପି ଲଳିତ ମୋହନ ଶର୍ମା ୨୪ ଘଂଟା ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହଛନ୍ତି ।