ସଚିନଙ୍କ ଫ୍ୟାନ ସୁଧୀର କୁମାରଙ୍କୁ ଥାନାରେ ମାଡ, ଜାଣନ୍ତୁ ପୂରା ଘଟଣା

1,333

କନକ ବ୍ୟୁରୋ : ମୁଜାଫରପୁର ଜିଲ୍ଲା ଟାଉନ ଥାନାରେ ସଚିନଙ୍କ ଫ୍ୟାନ ଭାବେ ପରିଚିତ ସୁଧୀର କୁମାରଙ୍କୁ ଜଣେ ପୋଲିସକର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁଧୀରଙ୍କ ଅଭିଯୋଗ ପରେ ମାମଲାକୁ ନେଇ ଟାଉନଥାନା ପୋଲିସ ତନାଘନା ଆରମ୍ଭ କରିଛି । ଏନେଇ ପୋଲିସ ଏଏସପି ଜୟନ୍ତ କାନ୍ତ ମାମଲାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ସୁଧୀର କୁମାର କହିଛନ୍ତି କି ସେ ଟାଉନ ଥାନାକୁ ଏକ ମାମଲାରେ ଯାଇଥିବା ବେଳେ ଜଣେ ହାବିଲଦାର ତାଙ୍କୁ ଗାଳି ଦେଇଥିଲେ । କେବଳ ଗାଳି ନୁହେଁ ତାଙ୍କୁ ଗୋଇଠା ମାରିବା ସହ ଥାନାରୁ ବାହାର କରିଦେଇଥିଲେ । ଏଭଳି ଘଟଣା ପରେ ସଂପୃକ୍ତ ହାବିଲଦାରଙ୍କ ନାମରେ ସୁଧୀର ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ଗୁରୁବାର ରାତିରେ ସୁଧୀରଙ୍କ ସଂପର୍କୀୟ ଭାଇ କିଶନଙ୍କୁ କୌଣସି ଏକ ମାମଲାରେ ପୋଲିସ ଗିରଫ କରିଥିଲା । ଏନେଇ ଖବର ପାଇବା ପରେ ସୁଧୀର ଘଟଣା ବାବଦରେ ଜାଣିବାକୁ ସୁଧୀର ମୁଜାଫରପୁର ଜିଲ୍ଲା ଟାଉନ ଥାନାରେ ପହଂଚିଥିଲେ  । ଏନେଇ ତାଙ୍କ ଭାଇଙ୍କୁ କେଉଁ ଅଭିଯୋଗରେ ଗିରଫ କରାଯାଇଛି ବୋଲି ସେ ହାବିଲଦାରଙ୍କୁ ପଚାରିଥିଲେ । ଏହାପରେ ହାବିଲଦାର ଜଣଙ୍କ ସୁଧୀରଙ୍କୁ ଗାଳି ଗୁଲଜ କରିବା ସହ ଗୋଡରେ ମାଡ ମାରିଥିଲେ ।

କହିରଖୁ କି ଯେଉଁ ଥାନାରେ ସୁଧୀରଙ୍କ ଉପରେ ମାଡ ହୋଇଛି, କିଛିଦିନ ତଳେ ସୁଧୀର ସେହି ଥାନାର ଉଦଘାଟନ କରିଥିଲେ । ଜଣେ ସେଲିବ୍ରେଟି ଭାବେ ସୁଧୀର ଯେଉଁ ଥାନାକୁ ଫିତାକାଟି ଉଦଘାଟନ କରିଥିଲେ ଏବେ ସେହି ଥାନାରେ ତାଙ୍କୁ ମାଡ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।