କନକ ବ୍ୟୁରୋ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଓ ଚର୍ଚ୍ଚିତ ଦନ୍ତା ହାତୀ ରାମୁର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ହାତୀ ଭାବେ ଜଣାଶୁଣା ଥିଲା ରାମୁ । ତେବେ ହାତୀ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତ ଦନ୍ତା ରାମୁର ବ୍ୟବଚ୍ଛେଦ ଚାଲିଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ । ଗତକାଲି ମଧ୍ୟ ରାଜ୍ୟରେ ଦୁଇଟି ହାତୀଙ୍କ ଜୀବନ ଯାଇଥିଲା। ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ବଣାଇରେ ଟ୍ରେନ ଲାଇନରେ କଟି ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଦିନକୁ ଦିନ ରାଜ୍ୟରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ହାତୀଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ବଢ଼ିଛି ।

Advertisment