ସିଦ୍ଧାର୍ଥଙ୍କ ଶେଷ ରାତି । ଔଷଧ ଖାଇ ରାତିରେ ଶୋଇଲେ, ହାର୍ଟ ଆଟାକରେ ଆଖି ବୁଜିଲେ

ମାତ୍ର ୪୦ ବର୍ଷ ବୟସରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ । ଟିଭିରୁ ବଲିଉଡ ଚାରିଆଡେ ଶୋକର ଛାୟା ।

1,710

କନକ ବ୍ୟୁରୋ : ମଣିଷ ଜୀବନ ଆଜି ଅଛି କାଲିକି ନାହିଁ । କେତେବେଳେ କ’ଣ ହେବ କେହି କହିପାରିବେନି । ସିଦ୍ଧାର୍ଥଙ୍କ ମୃତ୍ୟୁ ଏହି କଥା ଭାବିବାକୁ ବାଧ୍ୟ କରିଛି । ଗତକାଲି ସମ୍ପୂର୍ଣ୍ଣ ଠିକ୍ ଥିଲେ ସିଦ୍ଧାର୍ଥ । ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ନେଇ ସିଦ୍ଧାର୍ଥ ତାଙ୍କ ମାଙ୍କୁ ଜଣାଇଥିଲେ । ମା’ ପିଇବାକୁ ପାଣି ଦେଇଥିଲେ । ଆଉ ଶୋଇଯିବାକୁ କହିଥିଲେ । ହେଲେ ସକାଳୁ ଆଉ ଉଠିନଥିଲେ ସିଦ୍ଧାର୍ଥ । ସିଦ୍ଧାର୍ଥଙ୍କ ମା ଡାକିଲେ ବି ସେ ଆଉ ଶୁଣିନଥିଲେ । ତାପରେ ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ ମା । ଡାକ୍ତରଙ୍କୁ ବି ଫୋନ କରିଥିଲେ । ଡାକ୍ତର ଦେଖିବା ପରେ ତୁରନ୍ତ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । ତାପରେ ସକାଳ ୯ଟା ୪୦ରେ ସିଦ୍ଧାର୍ଥଙ୍କୁ ଆମ୍ବୁଲାନ୍ସ ଯୋଗେ କୁପର ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ, ୧୦ଟା ୧୫ରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ମାତ୍ର ୪୦ ବର୍ଷ ବୟସରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ । ତାଙ୍କର ମୃତ୍ୟୁ ଖବର ପ୍ରଶଂସକଙ୍କ ପାଇଁ ଅବିଶ୍ୱସନୀୟ ସଦୃଶ । ଟିଭିରୁ ବଲିଉଡ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥ ଶୁକ୍ଲା ଟିଭି ଜଗତରର ଏକ ଜଣାଶୁଣା ନାମ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ସେ । ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ର ବିଜେତା ହୋଇଥିଲେ । ଏପରିକି ଏକ ଡାନ୍ସ ସୋ’ରେ ସିଦ୍ଧାର୍ଥ ଶୁକ୍ଲା ଅତିଥି ହୋଇ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଏବଂ ଏଥିପାଇଁ ସେ ସୁଟିଂ ମଧ୍ୟ କରିସାରିଥିଲେ । ଏହାର ପ୍ରମୋ ଗତ ଅଗଷ୍ଟ ୧୮ତାରିଖରେ ଆସିଥିଲା ।

ସିଦ୍ଧାର୍ଥ ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମଗ୍ରହଣ କରିଥିଲେ । ସେ ମଡେଲିଂ ଏବଂ ଅଭିନୟ ପ୍ରତି କେବେ ଆଗ୍ରହୀ ନଥିଲେ । ସିଦ୍ଧାର୍ଥ ସବୁବେଳେ ବ୍ୟବସାୟ କରିବାକୁ ଚାହୁଁଥିଲେ ।  ୨୦୦୪ ମସିହାରେ, ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ସିଦ୍ଧାର୍ଥ ଏକ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ନିଜ ଲୁକ୍ସ ପାଇଁ ଜର୍ଜ ସିଦ୍ଧାର୍ଥଙ୍କୁ ଚୟନ କରିଥିଲେ । ସିଦ୍ଧାର୍ଥ ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ଏହି ପ୍ରତିଯୋଗିତାରେ ଅନିଚ୍ଛା ପ୍ରକାଶ କରିଥିଲେ କିନ୍ତୁ ସେ ଜାଣି ନଥିଲେ ଯେ ଏହା ତାଙ୍କ ଭାଗ୍ୟ ବଦଳାଇଦେବ । ସିଦ୍ଧାର୍ଥ ଏହି ପ୍ରତିଯୋଗିତାରେ ଜିତିଥିଲେ । ଏହା ପରେ ସିଦ୍ଧାର୍ଥଙ୍କୁ ୨୦୦୮ରେ ତୁର୍କୀରେ ଆୟୋଜିତ ହେବାକୁ ଥିବା ବିଶ୍ୱର ସବୁଠାରୁ ବଡ ମଡେଲିଂ ସୋ’ରେ ଭାଗ ନେଇଥିଲେ । ସେଠାରେ ମଧ୍ୟ ସିଦ୍ଧାର୍ଥ ଜିତି ଦେଶର ନାଁ ରଖିଥିଲେ ।

ଏହାପରେ ସେ ମଡେଲିଂ ଜାରି ରଖିଥିଲେ । ପରେ ସେ ଏକ କ୍ରିମ ବିଜ୍ଞାପନରେ ଟିଭି ପରଦାରେ ପାଦ ଦେଇଥିଲେ। । ଏହି ବିଜ୍ଞାପନ ପରେ ସେ ଟିଭି ଶୋ ‘ବାବୁଲ କା ଅଙ୍ଗନା ଛୁଟେ ନା’ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ସେ କଲର୍ସ ଟିଭିର ସୋ ‘ବାଳିକାବଧୂ’ରେ ଶିଭ ଭୂମିକାରେ ଅଭିନୟ କରିଥିଲେ । ଏହି ସିରିୟଲ ସିରିୟଲରେ ଦମଦାର ଅଭିନୟ କରି ସିଦ୍ଧାର୍ଥ ଘରେ ଘରେ ପରିଚିତ ହୋଇପାରିଥିଲେ । ଏହା ପରେ ସେ ରଶ୍ମୀ ଦେଶାଇଙ୍କ ସହ କଲର୍ସର ନିଜସ୍ୱ ସୋ ‘ଦିଲ୍ ସେ ଦିଲ୍ ତକ୍’ରେ ଅଭିନୟ କରିଥିଲେ । ଏହି ସିରିଏଲରେ ଉଭୟଙ୍କ ଯୋଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସବୁଠୁ ଚର୍ଚ୍ଚିତ ଖବର ଥିଲା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହେନାଜ ଗିଲଙ୍କ ଯୋଡି । ଉଭୟ ବିଗ୍ ବସ୍ ୧୩ର ପ୍ରତିଯୋଗୀ ଥିଲେ ।

ଏଥିସହ ସେ ଟେଲି-ଧାରାବାହିକ ‘ଜାନେ ପେହେଚାନେ ସେ….‌ୟେ ଅଜନବୀ’, ‘ଲଭ ୟୁ ଜିନ୍ଦଗୀ’ ଏବଂ ‘ଝଲକ ଦିଖଲା ଯା-୬’, ‘ଫିୟର ଫାକ୍ଟର: ଖତରୋଁକି ଖିଲାଡ଼ି-୭’ ଆଦି ରିୟଲିଟି ସୋ’ରେ କାମ କରିଥିଲେ । କରନ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ହମ୍ପଟି ଶର୍ମାକି ଦୁଲହନିଆ’ ଜରିଆରେ ବଲିଉଡରେ ପାଦ ରଖିଥିଲେ ସିଦ୍ଧାର୍ଥ । ଅଭିନେତା ମନୋଜ ବାଜପାୟୀ, କପିଲ୍ ଶର୍ମା ଓ ହିତେନ୍ ତେଜୱାନୀ ପ୍ରମୁଖ  ଖବର ଶୁଣିବା ମାତ୍ରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।