୩ ନୂଆ କୃଷି ଆଇନ ପ୍ରତ୍ୟାହାର : ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା

ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସମ୍ପୂର୍ଣ୍ଣ ହେବ ସାମ୍ବିଧାନିକ ପ୍ରକ୍ରିୟା; ଆନ୍ଦୋଳନ ଛାଡ଼ି ଘରକୁ ଯିବାକୁ ଚାଷୀଙ୍କୁ ଅପିଲ କଲେ ମୋଦୀ

401

କନକ ବ୍ୟୁରୋ : ୩ ନୂଆ କୃଷି ଆଇନ ପ୍ରତ୍ୟାହାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା ।

ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ । ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇପାରିନଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ । ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି । ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ । ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି । ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ । ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ବପ୍ନ ସାକାର ହୋଇ ପାରିବ ।

ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରକାଶ ପର୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସରକାର ସେବା ଭାବ ନେଇ କାର୍ଯ୍ୟ କରୁଛନ୍ତି । କୃଷକଙ୍କ କଲ୍ୟାଣ ଆମ ପାଇଁ ପ୍ରାଥମିକତା ।ଦେଶରେ ୧୦୦ ରୁ ୮୦ ଜଣ କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ । ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯାଇଛି । ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଅନେକ ପୁରୁଣା ନିୟମରେ ପରିବର୍ତ୍ତନ । ୨୨କୋଟି ସୋଏଲ ହେଲଥ କାର୍ଡ କୃଷକଙ୍କୁ ଦିଆଯାଇଛି । ୧.୬୨ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି । କୃଷକଙ୍କୁ ବୀମାର ଲାଭ ମିଳୁଛି । ମଣ୍ଡିର ନବୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।