କନକ ବ୍ୟୁରୋ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପଚରାଉଚରା କରିଛି ସିବିଆଇ । ତୁହାକୁ ତୁହା ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରବିବାର ୧୧ଟାରେ କେଜରିୱାଲ ସିବିଆଇରେ ହାଜର ହେବାର ଥିଲା । ଏହା ପୂର୍ବରୁ ସେ ସମର୍ଥକଙ୍କ ଗହଣରେ ରାଜଘାଟ ଯାଇଥିଲେ । ପରେ ଟ୍ୱିଟ କରିଥିଲେ, ଶେଷରେ ସତ୍ୟର ବିଜୟ ହେବ । କେଜରିୱାଲଙ୍କ ହାଜରକୁ ଦୃଷ୍ଟିରେ ରଖି ସିବିଆଇ ହେଡକ୍ୱାର୍ଟର ଓ ଅରବିନ୍ଦ କେଜରିୱାଲଙ୍କ ଘର ଆଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଆମ ଆଦମୀ ପାର୍ଟି ଆଶଙ୍କା ପ୍ରକାଶ କରିଛି, କେଜରିୱାଲଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ।

Advertisment

ଅରବିନ୍ଦ କେଜରିୱାଲଙ୍କ ସିବିଆଇର ସମନ ନେଇ ତାତିଛନ୍ତି ଆମ ଆଦମୀ ପାର୍ଟି କର୍ମୀ । ସାରା ଦିଲ୍ଲୀ ସମତେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳର କର୍ମୀ । ସିବିଆଇ ମୁଖ୍ୟ ଅଫିସ ଆଗରେ ଆପର ବଡ ନେତା ଧାରଣାରେ ବସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ ଆପର ବଡ ବଡ ନେତା । ଦିଲ୍ଲୀ ପୁଲିସ ଭଗୱନ୍ତ ମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସେ ଶୁଣିନଥିଲେ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଏକପ୍ରକାର ଜାମ ହୋଇଯାଇଥିଲା । ଆନ୍ଦୋଳନରତ କର୍ମୀଙ୍କୁ ପୁଲିସ ହେପାଜତକୁ ନେଇଥିଲା । ଏମାନଙ୍କ ମଧ୍ୟରେ ଦିଲ୍ଲୀ ଓ ପଞ୍ଜାବ ସରକାରର କିଛି ମନ୍ତ୍ରୀ ବି ଥିଲେ । ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆପ ଓ କଂଗ୍ରେସ ।

ସେପଟେ ଆପକୁ ଜବାବ ଦେବା ଲାଗି ଦିଲ୍ଲୀର ରାଜଘାଟରେ ବି ବିଜେପି କର୍ମୀ ଧାରଣା ଦେଇଥିଲେ । ଦଳ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ଶିଶୋଦିଆଙ୍କୁ ସିବିଆଇ ପୂର୍ବରୁ ଗିରଫ କରିସାରିଛି । ଆଉ ଏବେ କେଜରିୱାଲଙ୍କୁ ସମନ ନେଇ ରାଜନୀତି ସରଗରମ ହୋଇଛି ।