କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ବଡ଼ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଉପୁଜିଛି ବିବାଦ । ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି । ଏହି ଘଟଣାରେ ଦୁଇ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଦୁଇ ଜଣଙ୍କ ଭେଂଟିଲେଟରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେମାନଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି ।
ସେ ମାନସିକ ଭାରସାମ୍ୟ ହରାଇଥିବା ଭାବି ମନସ୍ତତ୍ୱବିତଙ୍କୁ ଡକାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହା ପରେ ହସ୍ପିଟାଲ ପକ୍ଷରୁ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରୋଗୀ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ନେବା ପାଇଁ ମଞ୍ଚେଶ୍ୱର ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ।

Advertisment

ଗତ ୨୮ ତାରିଖ ସଂଧ୍ୟାରେ ହସ୍ପିଟାଲର ତୃତୀୟ ମହଲା ଖୋଲା ଛାତ ଉପରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା । କମ୍ପ୍ରେସର ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା । ଏଥିରେ ଶ୍ରୀଜଗନ୍ନାଥ ରେଫ୍ରିଜେସନ୍ ଏଜେନ୍ସି ପକ୍ଷରୁ କାମ କରୁଥିବା ୪ ଜଣ ଗୁରୁତର ହୋଇଥିଲେ । ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ ଓ ଜ୍ୟୋତିରଞ୍ଜନ ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟ ହୋଇଥିବା କୁହାଯାଇଥିବା ବେଳେ ଗତ ୩ ତାରିଖରେ ଶ୍ରୀତମ ସାହୁଙ୍କ ମୃତ୍ୟୁ ହୋଇଥିଲା । ରେଫ୍ରିଜେସନ୍ ଏଜେନ୍ସିର ବରିଷ୍ଠ କର୍ମଚାରୀ ସଞ୍ଜୟ ସାହୁ ମୃତଦେହ ଚିହ୍ନଟ କରି ଶବ ବ୍ୟବଚ୍ଛେଦ କରାଇବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଏହାରି ଭିତରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ।