ପଡୋଶୀ ଦେଶରୁ ହେଉଛି ଷଡଯନ୍ତ୍ର, ଭାରତରେ ହୋଇପାରେ ବଡ ଆତଙ୍କବାଦୀ ଆକ୍ରମଣ । ଚେତାଇଲା ଗୁଇନ୍ଦା ବିଭାଗ ।

166

କନକ ବ୍ୟୁରୋ : ଦେଶରେ ପାର୍ବଣ ଋତୁ ଆରମ୍ଭ ହେଲାଣି । ଆଉ ଏହି ପାର୍ବଣ ଋତୁରେ ଦେଶକୁ ରକ୍ତରଞ୍ଜିତ କରିବାକୁ ଶତ୍ରୁ ଦେଶରୁ ହେଉଛି ସାଂଘାତିକ ଷଡଯନ୍ତ୍ର । ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ହେଉଛି ପଡୋଶୀ ଦେଶରୁ ଷଡଯନ୍ତ୍ର । ତେବେ ଏଥର ଟିଫିନ୍ ବକ୍ସରେ ଆଇଡି ପ୍ରସ୍ତୁତ କରି ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ । ଏନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଆତଙ୍କବାଦୀ ମାନେ ପାକିସ୍ତାନ ମାଟିରୁ ଭାରତରେ ପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି । ଆଉ ଏଥିପାଇଁ ଛୋଟ ଛୋଟ ଗ୍ରୁପ୍ କରି  ଭାରତୀୟ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ଆଉ ଏହି ସାଂଘାତିକ ଷଡଯନ୍ତ୍ରର ଜାଲ ବିଛାଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ।

ଏହାବ୍ୟତୀତ ଆଫଗାନୀ ଆତଙ୍କବାଦୀଙ୍କୁ ନେଇ ଭାରତୀୟ ଗୁଇନ୍ଦା ବିଭାଗ ସତର୍କ କରିଛି । ଗୁଇନ୍ଦା ବିଭାଗ ଦେଇଥିବା ସୂଚନା ମୁତାବକ, ଆଫଗାନୀ ଆତଙ୍କବାଦୀଙ୍କ ସହ ଲସ୍କର-ଇ-ତୋଇବା, ହଜିବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ମାନେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।    ପାଖାପାଖି ୩୫ରୁ ୪୦ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରସ୍ତୁତ କରୁଥିବା ନେଇ ସୂଚନା ମିଳିଛି ।

ଏହାବାଦ୍ ଲସ୍କରର ଆଉ କିଛି ଆତଙ୍କବାଦୀ ନଦୀରେ ଟ୍ୟୁବ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରିପାରନ୍ତି । ପାର୍ବଣ ଋତୁରେ ଆଇଏସଆଇ ଭାରତରେ ବୋମା ବିସ୍ଫୋରଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଖାସକରି ଭିଡ଼ ହେଉଥିବା ସ୍ଥାନକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ଏହି ବମ୍ ଗୁଡିକୁ ଲଞ୍ଚ ବକ୍ସ ଜରିଆରେ ଆଇଡିର ରୂପ ଦିଆଯିବ । ଆଉ ଏଥିପାଇଁ ଗୁଳି, ବାରୁଦ ଓ ଟଙ୍କା ଦିଆଯାଇଥିବା ନେଇ ଗୁଇନ୍ଦା ସୂଚନା ମିଳିଛି ।