ବିଜେଡିରେ ବଡ ହଲଚଲ: ମମତାଙ୍କ ପରେ କିଏ?

Advertisment
ବିଜେଡିରେ ବଡ ହଲଚଲ: ମମତାଙ୍କ ପରେ କିଏ?

କନକ ବ୍ୟୁରୋ: କାର୍ଯ୍ୟକାଳ ସରିବା ପୂର୍ବରୁ ଅଚାନକ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦରୁ ଇସ୍ତଫା ଦେବା ଖବର, ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ମମତା ଅଚାନକ ପଦ ଛାଡିବା ପଛର କାରଣ କଣ ସେ ନେଇ ଆଲୋଚନା ହେଉଛି। ଅନ୍ୟପଟେ କେବଳ ମମତା ନୁହଁନ୍ତି ଆଗକୁ ଆଉ କିଛି ବିଜେଡି ସାଂସଦ ମଧ୍ୟ ପଦ ଛାଡି ପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା।

ମମତା ମହନ୍ତ ରାଜ୍ୟସଭା ସାଂସଦ ପଦ ଛାଡିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ନିର୍ବାଚନ ପରେ ବିଜେଡିକୁ ଏହା ସବୁଠାରୁ ବଡ ଝଟକା ହୋଇଥିବାରୁ, ସବୁଠି ଆଲୋଚନାର ବିଷୟ ପାଲଟିଛି। ଏହାକୁ ଏକ ବଡ ଧରଣର ରାଜନୈତିକ ଝଡର ପ୍ରାକ୍ ସୂଚନା ବୋଲି କୁହାଯାଉଛି। ଏପରିକି ଆଗକୁ ବିଜେଡିର ଆଉ କିଛି ରାଜ୍ୟସଭା ସାଂସଦ ପଦ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମମତା ପଦ ଓ ଦଳ ଛାଡିବା ପୂର୍ବରୁ ଏହାର କୌଣସି ସଂକେତ ପାଇନଥିଲେ ବିଜେଡିର ଅନ୍ୟ ସାଂସଦ। ଠିକ୍ ସେହି ଢ଼ଙ୍ଗରେ ବିଜେଡିର ଅନ୍ୟ ସାଂସଦମାନେ ମଧ୍ୟ ଦଳ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଗୋଟିଏ ପଟେ ମମତାଙ୍କ ପରେ ଆଉ କିଏ ପଦ ଛାଡିବେ ତା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ, ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଏଥିପାଇଁ ବିଜେଡି ନେତାମାନେ ବିଜେପିକୁ ଦାୟୀ କରୁଥିବାବେଳେ କଡା ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳର ନେତା। କହିଛନ୍ତି, ଏବେ ବୋମା ଫୁଟିଲା, ଆଗକୁ ବିସ୍ଫୋରଣ ହେବ । ଏହା ଟ୍ରେଲର, ଆଗକୁ ଆହୁରି ବହୁତ କିଛି ହେବାକୁ ଯାଉଛି। ଜବାବରେ ବିଜେଡି ମଧ୍ୟ ମମତାଙ୍କ ଇସ୍ତଫାକୁ ନେଇ କଟାକ୍ଷ କରିଛି। ଜବାବ ଦେଇ କହିଛନ୍ତି, ଶାସନରେ ଥାଇ ଅଂଗୁଳି ନିର୍ଦ୍ଦେଶ କରିବା ସହଜ। ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ପଛ ଧାଡିରେ ବସିଛନ୍ତି।

ମମତାଙ୍କ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେ ଅଚାନକ ସେ ପଦ ଛାଡିବା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ରାଜନୀତିକୁ ଉଷ୍ଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe