ଆର୍ଥିଂ ଓ କେବଲିଂ ନାଁରେ କୋଟି କୋଟି ଟଙ୍କାର ହରିଲୁଟ । ଠିକାସଂସ୍ଥା ଓ ପୌରପାଳିକା ଅଧିକାରୀ ମିଶି ଚଳୁ କଲେ ଟଙ୍କା ।

158

କନକ ବ୍ୟୁରୋ: କେନ୍ଦୁଝର ପୌରପାଳିକାର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ବିଜୁଳି ଖୁଣ୍ଟରେ ଆର୍ଥିଂ କରାଯିବା ନାଁରେ ହୋଇଛି କୋଟି କୋଟି ଟଙ୍କାର ହେରଫେର ।

କେମିତି ହୋଇଛି ଚଞ୍ଚକତା ?

କେନ୍ଦୁଝର ପୌରପାଳିକାର ୨୧ଟି ୱାର୍ଡର ଆଲୋକୀକରଣ ପାଇଁ ଖର୍ଚ୍ଚ ହୋଇଛି ୯ କୋଟି ୩୨୩ ଲକ୍ଷ
୧୩୦୦ ବିଦ୍ୟୁତ ଖୁଣ୍ଟରେ ଲାଗିଛି ଏଲିଡି ଲାଇଟ୍
ସବୁ ଖୁଣ୍ଟର ଆର୍ଥିଂ ପାଇଁ ଖୁଣ୍ଟପିଛା ହୋଇଥିଲା ୬ ହଜାର ଟଙ୍କା ବ୍ୟୟ ଅଟକଳ
ଅଳ୍ପ କିଛି ଖୁଣ୍ଟରେ ଆର୍ଥିଂ କରି ବାକି ସବୁ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ
୬୦ ଲକ୍ଷରୁ ଅଧିକ ଟଙ୍କା ଠିକା ସଂସ୍ଥା ଓ ଅଧିକାରୀମାନଙ୍କ ପକେଟକୁ ଯାଇଥିବା ଅଭିଯୋଗ
୧୩୫ କିଲୋମିଟର କେବଲିଂ କରାଯାଇଥିବା ଦର୍ଶାଯାଇଛି
ଟଣାଯାଇଛି ୫୦ କିଲୋମିଟରରୁ କମ୍
ଏଥିରେ ୫ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ

ଏଭଳି ମହାଦୁର୍ନୀତି ସାମନାକୁ ଆସିବା ପରେ ହରଡ ଘଣାରେ ପଡିଛନ୍ତି ସଂପୃକ୍ତ ଠିକା ସଂସ୍ଥା ଏବଂ ବିଭାଗୀୟ ଅଧିକାରୀ । ଠିକା ସଂସ୍ଥାର ମୁଖ୍ୟ କମଲ ମିତଲ, ସଂସ୍ଥାର ଜଣେ ତଳିଆ କର୍ମଚାରୀ ଅର୍ନଦା ମହାପାତ୍ରଙ୍କୁ ଦାୟୀ କରି ତାଙ୍କୁ ଧମକ ଦେଉଥିବାର ଅଡିଓ ହସ୍ତଗତ ହୋଇଛି । ଏତିକିରେ କଥା ଅଟକିନି । ଯିଏ ଏହି ଦୁର୍ନୀତିକୁ ସାମନାକୁ ଆଣିଥିଲେ ତାଙ୍କ ଉପରେ ଦାଉ ସାଧିଛନ୍ତି କେନ୍ଦୁଝର ମ୍ୟୁନିସିପାଲିଟି ଅଧିକାରୀ । ଅନ୍ନଦାଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ରିର୍ପୋଟକୁ ଟ୍ୟାମ୍ପରିଂ କରିଥିବା ଅଭିଯୋଗ କରି ଏକ ମାମଲା ଦାୟର କରିଛନ୍ତି । ଏହାପରେ ଅନ୍ନଦାଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ । ଅନ୍ନଦାଙ୍କ ରକ୍ତଚାପ ବଢିଯିବାରୁ ସେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ରେଫର କରାଯାଇଛି ।

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ଏସବୁ କାର୍ଯ୍ୟ ହୋଇଥିବା ନେଇ ସରକାରଙ୍କୁ ଦିଆଯାଇଥିବା ରିର୍ପୋଟରେ ନିଜେ ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ, ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଏବଂ ନେସ୍କୋ ଏସଡିଓ ଦସ୍ତଖତ କରି ସରକାରଙ୍କ ନିକଟରେ ଦାଖଲ କରିଛନ୍ତି । ଏନେଇ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କେନ୍ଦୁଝରଗଡ ମୁନିସିପାଲିଟି ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଛନ୍ତି । ଆଉ ଦୁର୍ନୀତିର ପର୍ଦ୍ଦାଫାଶ ପରେ ସାରା ରାଜ୍ୟରେ ଆର୍ଥିଂ ନାଁରେ ବଡ଼ ସ୍କାମ ହୋଇଥିବା ଅନୁମାନ କରାଯାଉଛି ।