କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ଯେତେ ନିକଟତର ହେଉଛି ବିରୋଧୀ ବିଜେପିରେ ସେତିକି ଭିତିରି କନ୍ଦଳ ପଦାରେ ପଡୁଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବସୁନ୍ଧରାରାଜେ ସିନ୍ଧିଆଙ୍କୁ ନେଇ ଦଳ ଭିତରେ ଥିବା ବିବାଦ ତୁଟୁ ନଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଅଧ୍ୟକ୍ଷ କୈଳାଶ ମେଘୱାଲଙ୍କୁ ଦଳ ଆଜି ପ୍ରାଥମିକ ସଦସ୍ୟ ପଦରୁ ବହିସ୍କୃତ କରିଛି । କୈଳାଶ ମେଘୱାଲ କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ଶାଣିତ ଆକ୍ରମଣ କରୁଥିଲେ । ଏହାସହ ଏକ ମଞ୍ଚରେ ସେ ଅର୍ଜୁନ ରାମଙ୍କ ଉପରେ ଏକ ଗମ୍ଭୀର ଦୁର୍ନୀତିର ଅଭିଯୋଗ ଆଣିଥିଲେ । ଏହାସହ ଆଜି ବି ସେ ଜୟପୁର ଠାରେ ଏକ ବୈଠକରେ ବିଜେପି ଭିତରେ ଥିବା କିଛି ଅନ୍ତଃକନ୍ଦଳକୁ ନେଇ ସମାଲୋଚନା କରିଥିଲେ । ଏନେଇ ଦଳ ତରଫରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ କୈଳାଶ ମେଘୱାଲଙ୍କୁ ଦଳରୁ ନିଲମ୍ବିତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟ ପଦ ଛଡାଇ ନେଇଛି । କୈଳାଶ ମେଘୱାଲଙ୍କୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆଙ୍କ କଟ୍ଟର ସମର୍ଥକ ବୋଲି କୁହାଯାଏ । ତେଣୁ କୈଳାଶ ବସୁନ୍ଧରାଙ୍କ ଇଶାରାରେ ବିଜେପି ଭିତରେ ଫାଟ ସୃଷ୍ଟି କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Advertisment

କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କ ଉପରେ ସାର୍ବଜନୀକ ମଞ୍ଚରେ ଶାଣିତ ଆକ୍ରମଣ କରୁଥିବା ଅଭିଯୋଗରେ କୈଳାଶ ମେଘୱାଲଙ୍କୁ ଦଳ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଥିଲା । ଏହା ପରେ ବି ଆଜି କୈଳାଶ ମେଘୱାଲ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅର୍ଜୁନରାମ ମେଘୱାଲଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣି ତାଙ୍କୁ ସମାଲୋଚନା କରିଥିଲେ ।

ସେପଟେ କିଛିଦିନ ପରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ବିଜେପି ପାଇଁ ବଡ କ୍ଷତି ପହଂଚାଇପାରେ । କାରଣ ଏବେ ରାଜସ୍ଥାନରେ କଂଗ୍ରେସର ସରକାର ରହିଛି । ଏହାସହ କଂଗ୍ରେସରେ ଥିବା ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ମେଣ୍ଟିଥିବାରୁ ଦଳ ଅଧିକ ମଜବୁତ ମଧ୍ୟ ହୋଇଥିବା ଆଲୋଚନା ହେଉଛି ।