ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତକୁ ନେଇ ଉଠିଲା ବଡ଼ ପ୍ରଶ୍ନ ?ଅଭିଯୁକ୍ତଙ୍କୁ ବାନ୍ଧିବା ପାଇଁ ଯାଉନି କି ପୁଲିସର ହାତ? ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ପୁଲିସ୍ କାହିଁକି ଚୁପ୍?

165

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ୍ ତଦନ୍ତକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଗଣଦୁଷ୍କର୍ମ ମାମଲା ରୁଜୁ ହେବାକୁ ଏହାରି ଭିତରେ ଦୁଇ ସପ୍ତାହ ବିତିଗଲାଣୀ, ହେଲେ କାର୍ଯ୍ୟାନୁଷ୍ଠାନ ଏବେ ବି ଶୂନ୍ । ଶିଶୁ ଅଧିକାର କମିଶନ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ । ଆଉ ପୁରା ଘଟଣା ସନ୍ଦେହକୁ ବଢ଼ାଇ ଦେଉଛି ।
ଯଦି ଘଟଣାଟି ସତ କାହିଁକି ହାତ ବାନ୍ଧି ବସିଛି ପୁଲିସ୍? ଯଦି ଘଟଣାରେ ସତ୍ୟତା ନାହିଁ ପୁଲିସ୍ କାହିଁକି ସ୍ପଷ୍ଟ କରୁନି?

ଲକଡାଉନରେ ଲଜ୍ଜା
ଅଭିଯୁକ୍ତଙ୍କୁ ବାନ୍ଧିବା ପାଇଁ ଯାଉନି କି ପୁଲିସ୍ର ହାତ?
ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ପୁଲିସ୍ କାହିଁକି ଚୁପ୍?

ଅଭିଯୋଗ ସାଂଘାତିକ୍, ଅଭିଯୁକ୍ତଙ୍କ କାଣ୍ଡ ସଂଗୀନ୍ । ପକ୍ସୋ ଭଳି ସଂଗୀନ୍ ଦଫା ଲାଗିଛି, ଯଦି ଏହା ପ୍ରମାଣିତ ହୁଏ, ତେବେ ଫାଶୀ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ହେଲେ, ଏଯାଏଁ ପୁଲିସ୍ କରିଛି କ’ଣ? ଗତ ଏପ୍ରିଲ-ମେ ମାସରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ମହିଳା ଥାନାରେ ମାମଲା ହେବାକୁ ଏହାରି ଭିତରେ ଦୁଇ ସପ୍ତାହ ବିତିଗଲାଣୀ । ୪୮ ଘଂଟା ଭିତରେ ଗିରଫ କରିବାକୁ ଶିଶୁ ଅଧିକାର କମିଶନ ନିର୍ଦ୍ଦେଶ ମଧ୍ୟ ଦେଇଥିଲ । ହେଲେ କ’ଣ ଘଟୁଛି କାହାକୁ ଜଣାନାହିଁ? ଘଟଣାରେ କିଏ କିଏ ସଂପୃକ୍ତ ଏହା କାହାରିକୁ ଅଛପା ନାହିଁ । କାରଣ ସମସ୍ତ ନାଁ ନେଇ ଜଣାଇ ସାରିଛନ୍ତି ପୀଡ଼ିତାଙ୍କ ମା’ ।

ଯଦି ଘଟଣାଟି ସତ କାହିଁକି ହାତ ବାନ୍ଧି ବସିଛି ପୁଲିସ୍?
ଯଦି ଘଟଣାରେ ସତ୍ୟତା ନାହିଁ ପୁଲିସ୍ କାହିଁକି ସ୍ପଷ୍ଟ କରୁନି?

ତଦନ୍ତର ଦିଗକୁ ନେଇ ସନ୍ଦେହ ଉଠିବା ବି ସ୍ୱାଭାବିକ । କାରଣ, ଏହି ଜଘନ୍ୟ କାଣ୍ଡରେ ଓଟିଭି ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମର କର୍ମଚାରୀ ସଂପୃକ୍ତ ଅଛନ୍ତି । ଯେଉଁ ପୁଲିସ୍ ଘଟଣାର ତଦନ୍ତ କରୁଛି, ସେହି ପୁଲିସ୍ କର୍ମଚାରୀଙ୍କ ନାଁରେ ଅଭିଯୋଗ ରହିଛି । ଆଉ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପଛ ଘୁଂଚା ଦେଉଛି କି ପୁଲିସ୍? ପୀଡ଼ିତା ଜଣ ତାଙ୍କ ବୟାନରେ କହିଛନ୍ତି-ଗଣଦୁର୍ଷ୍କମରେ କେବଳ ଗଣମାଧ୍ୟମର କର୍ମଚାରୀ ନଥିଲେ । ବରଂ ରାଉରକେଲାରୁ ୩ଜଣ ପୋଲିସ ଷ୍ଟାଫ ଆସି ଦୁଷ୍କର୍ମ କରିଥିଲେ ।

ଜଣେ ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହେବ । ୧୫ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରାଯିବ । ଆଉ ଏତେ ବଡ଼ ଘଟଣାରେ ପୁଲିସର ତତ୍ପରତା ଆଖିକୁ ଦେଖାନଯିବ, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଯୌନ ନିର୍ଯାତନା ମାମଲା: ବଲାଙ୍ଗିର ଉପ-ଜିଲ୍ଲାପାଳ ନିଲମ୍ବିତ
ଯୌନ ନିର୍ଯାତନା ମାମଲା: ଭୁବନେଶ୍ୱର ଆୟୁସ ନିର୍ଦ୍ଦେଶକ ନିଲମ୍ବିତ
ନିଲମ୍ବନ ପରେ ଆୟୁସ ନିର୍ଦ୍ଦେଶକଙ୍କୁ ଦିଆଗଲା ବାଧ୍ୟତାମୁଳକ ଅବସର

ସମାନ୍ୟ ତଥ୍ୟ ସଂଗ୍ରହ କଲେ ଏମିତି ଅନେକ ଉଦହାରଣ ମିଳିଯିବ, ଯେଉଁଠି ଅଭିଯୋଗ ଆସିବାର ଅଳ୍ପ ସମୟ ଭିତରେ କାର୍ଯ୍ୟାନୁଷ୍ଠାନ ହୋଇଛି । ହେଲେ ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଦୁଷ୍କର୍ମ ଘଟଣାରେ, ଏମିତି କ’ଣ ଅଧୁରା ରହି ଯାଉଛି, ଯେଉଁଥି ପାଇଁ ସଂପୃକ୍ତ ଗଣମାଧ୍ୟମର କର୍ମଚାରୀ କିମ୍ବା ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରୁନି ।