କନକ ବ୍ୟୁରୋ : ସନ୍ଥଙ୍କ ଜୟନ୍ତୀରେ ରାଜନୈତିକ ଦଳଗୁଡିକ ଖେଳିଲେ ଦଳିତକାର୍ଡ । ଆଜି ହେଉଛି ସନ୍ଥ ଗୁରୁ ରବିଦାସଙ୍କ ଜୟନ୍ତୀ । ଏହି ମୌକାରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ସହ ବିଏସପି ଓ ସମାଜବାର୍ଦି ପାର୍ଟିର ନେତାମାନେ ଉତ୍ତରପ୍ରଦେଶ ଓ ପଞ୍ଜାବରେ ଡେରା ପକାଇଛନ୍ତି । ସନ୍ଥଙ୍କ ଉଦ୍ଦେଶ୍ୟରେ କେଉଁଠି ସ୍ୱତନ୍ତ୍ର ପୂଜା ତ ପୁଣି କେଉଁଠି ବଡ ବଡ ଘୋଷାଣା କରିଛି ଦଳ । ଚର୍ଚ୍ଚା ହେଉଛି କି ପଞ୍ଜାବ ଓ ଉତ୍ତରପ୍ରଦେଶ ନିର୍ବାଚନରେ ସନ୍ଥ ରବିଦାସଙ୍କୁ ନେଇ ଦଳ ଗୁଡିକ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖିଛି ।

Advertisment

ସନ୍ଥଙ୍କ ଶରଣରେ ରାଜନେତା । ପଞ୍ଜାବ ଓ ୟୁପିରେ ଦଳିତକାର୍ଡ ଖେଳ । ଆଜି ସନ୍ଥ ରବିଦାସଙ୍କ ଜୟନ୍ତୀ । ୧୬ଶହ ଶତାଦ୍ଧୀର ଜଣେ ମହାନ ସନ୍ଥ ଥିଲେ ରବିଦାସ । ବର୍ତମାନର ନିର୍ବାଚନ ସମୟରେ ସନ୍ଥଙ୍କୁ ନେଇ ରାଜନୀତି ଜୋର ଧରିଛି । ବିଶେଷ କରି ଉତ୍ତରପ୍ରଦେଶ ଓ ପଞ୍ଜାବରେ ଭିନ୍ନ ରାଜନୈତିକ ଦଳର ନେତାଙ୍କ ସନ୍ଥଙ୍କ ପ୍ରତି ଭରପୁର ଭକ୍ତି ଓ ଆସ୍ଥା ଭରପୁର ଦେଖିବାକୁ ମିଳିଥିଲା । ଆଜି ସକାଳୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ସ୍ଥିତ କରୋଲବାଗରେ ସନ୍ଥ ରବିଦାସଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏଠାରେ ଉପସ୍ଥିତ ଥିବା ଭକ୍ତଙ୍କ ଗହଣରେ କିଛି ସମୟ କାଟିବା ସହ ଭଜନକୀର୍ତନରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଶେଷ କରି ସିଧା ପଞ୍ଜାବ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଠାନକୋଟରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ମଞ୍ଚରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ବାରଣାସୀରେ ପହଞ୍ଚିଛନ୍ତି । ଏଠାରେ ଥିବା ରବିଦାସ ଧାମରେ ମଥା ଟେକିଥିଲେ ଓ ଚାଦର ଚଢାଇଥିଲେ ଚନ୍ନୀ । କେବଳ ପ୍ରଧାନମନ୍ତ୍ରୀ କିମ୍ବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନୁହଁନ୍ତି ଏହି ଅବସରରେ ବାରଣାସୀରେ ମଧ୍ୟ ରବିଦାସ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ପ୍ରକୃତରେ ସନ୍ଥ ରବିଦାସ ଜଣେ ଦଳିତ ଥିଲେ । ତେଣୁ ତାଙ୍କ ଜୟନ୍ତୀରେ ଯେଉଁଭାବରେ ରାଜନେତାଙ୍କ ଶ୍ରଦ୍ଧା ଓ ଆସ୍ଥା ଦେଖିବାକୁ ମଳୁଛି ସେଥିରୁ ଗୋଟେ କଥା ସ୍ପଷ୍ଟ କି, ପଞ୍ଜାବ ବିଧାନସଭାରେ ଦଳିତ ଓ ଶିଖ ସମୁଦାୟଙ୍କ ଭୋଟ ପାଇଁ ଏହା ଏକ ଗେମଚେଞ୍ଜର ସାବ୍ୟସ୍ତ ହୋଇପାରେ । ତେଣୁ ସନ୍ଥଙ୍କ ମନ୍ଦିରରେ ମାଳ ମାଳ ନେତା ଆଜି ଭିଡ ଜମାଇଛନ୍ତି ।

କେବଳ ପଞ୍ଜାବରେ ନୁହେଁ ଉତରପ୍ରଦେଶରେ ମଧ୍ୟ ଦଳିତମାନଙ୍କ ଭୋଟ ବି ବେଶ ଗୁୁରୁତ୍ୱ ରହିଛି । ତେଣୁ ଉତ୍ତରପ୍ରଦେଶରେ ଥିବା ସନ୍ଥଙ୍କ ମନ୍ଦିରରେ ରାଜନେତାଙ୍କ ଭିଡ ଜମିଛି । ଉତରପ୍ରଦେଶରେ ଉପସ୍ଥିତ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସନ୍ଥ ରବିଦାସଙ୍କ ଜୟନ୍ତୀ ଅବସରରେ ରାହୁଲ ଓ ପ୍ରିୟଙ୍କା ଲଙ୍ଗର ବାଣ୍ଟିଥିଲେ, ସତସଙ୍ଗ କରିବା ସହ ସନ୍ଥଙ୍କୁ ଭେଟିଛନ୍ତି । ପଞ୍ଜାବ ଓ ଉତ୍ତରପ୍ରଦେଶରେ ରାଜନେତାଙ୍କ ଏଭଳି ଭିଡ ଦେଖି ସନ୍ଥଙ୍କ ନାଁରେ ଭୋଟବ୍ୟାଙ୍କ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।

କଂଗ୍ରେସ ଓ ବିଜେପି ସହ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଟିମ ବି ନିଜ ଅନ୍ଦାଜରେ ରବି ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଜଳନ୍ଧରରେ କେଜ୍ରିୱାଲ ଓ ପଞ୍ଜାବ ପାଇଁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ସନ୍ଥ ରବିଦାସ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଗୁରୁ ରବିଦାସଙ୍କ ଜୟନ୍ତୀ ଦିନରେ ଦିଲ୍ଲୀ ସରକାର ଛୁଟି ଘୋଷଣା କରିଛନ୍ତି ।

ପଂଜାବ ବିଧାନସଭା ନିର୍ବାଚନରେ ଦଳିତ ସମୁଦାୟକୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ଜୋରଦାର ଚେଷ୍ଟା କରିଛନ୍ତି । ଏହା ଭିତରେ ସନ୍ଥ ରବିଦାସଙ୍କ ଜୟନ୍ତୀ ଅବସରରେ କିଭଳି ଭୋଟରଙ୍କୁ ଅଧିକ ଆକୃଷ୍ଟ କରାଯିବ ସେନେଇ ବିଭିନ୍ନ ଦଳ ନିଜ ନିଜର କସରତ ଜାରି ରଖିଛନ୍ତି । ପଞ୍ଜାବର ୩୨ ପ୍ରତିଶତ ଜନସଂଖ୍ୟା ଦଳିତ । ତେଣୁ ସନ୍ଥଙ୍କ ନାଁରେ ଭୋଟବ୍ୟାଙ୍କ ରାଜନୀତି ଜୋର ଧରିଛି । ଦଳିତକାର୍ଡକୁ ନେଇ କେଉଁ ରାଜନୈତିକ ଦଳକୁ କେତେ ଫାଇଦା ମିଳୁଛି ସେକଥା ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ ।