ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ୧୦ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ କୋରାପୁଟର ମହିଳା । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକଙ୍କ ଉଦ୍ୟମକୁ ପ୍ରଶଂସା

519

କନକ ବ୍ୟୁରୋ : ବର୍ଷ ବର୍ଷର କଷ୍ଟରୁ ମିଳିଲା ତ୍ରାହି । ପେଟରୁ ବାହାରିଲା ୫୭କେଜିର ଟ୍ୟୁମର । ସଫଳ ହେଲା ବିରପଳ ଅପରେସନ । କିନ୍ତୁ ଏହି ଅପେରସନ ପାଇଁ ନବରଙ୍ଗପୁରର ମହିଳାଙ୍କୁ ଆସିବାକୁ ପଡିଲା କୁହୁଡି । ଦୀର୍ଘ ୧୦ ବର୍ଷ ହେବ ମହିଳା ଜଣକ ୫୭ କେଜିର ଟ୍ୟୁମର ଧରି କଷ୍ଟ ପାଉଥିଲେ ।

ବର୍ଷ ବର୍ଷର ଅପେକ୍ଷା ପରେ ଆର୍ଥିକ ଅନଟନ କରାଣରୁ ନବରଙ୍ଗପୁର ଜିଲ୍ଲାର ଫୁଲମତି ନାମକ ଏହି ମହିଳାଙ୍କ ହୋଇପାରୁନଥିଲା ଅପରେସନ । ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିଥିଲେ ଫୁଲମତିଙ୍କ ପରିବାର । ଚିକିତ୍ସା ହୋଇ ନପାରିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଶେଷରେ ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଂଚ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୫ ଘଂଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଆର୍ଥିକ ଅନଟନ ଯୋଗୁଁ ବଡ ହସ୍ପିଟାଲକୁ ଯାଇ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ସାହାଯ୍ୟ ମାଗିଥିଲେ । ଏହାକୁ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲା ସାଇ ସେବା ସଦନ ।