କନକ ବ୍ୟୁରୋ : ମତ ଓ ବିଚାରଧାରା ଭିନ୍ନ ଥିଲେ ମଧ୍ୟ ବିଜେପି ଭଳି ଶାସକ ଦଳକୁ ଚେକ ଦେବା ପାଇଁ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦେଶର ଅନେକ ଆଂଚଳିକ ଦଳ । ଉଦ୍ଦେଶ୍ୟ ଥିଲା ଦେଶରେ ବଢୁଥିବା ବିଜେପିକୁ ଚେକ୍ ଦେବେ । ହେଲେ ଏବେ ଯେଉଁ ସ୍ଥିତି ଉପୁଜିଛି ତାହା ମେଣ୍ଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ନିର୍ବାଚନକୁ ୬ ମାସରୁ କମ୍ ସମୟ ଥିବାବେଳେ ଆସନ ବୁଝାମଣାକୁ ମେଇ ବିରୋଧୀ ମେଂଟ ଇଣ୍ଡିଆରେ ଭିନ୍ନ ମତ ସାମ୍ନାକୁ ଆସିଛି । ନିକଟରେ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଥିଲା ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯଥାଶୀଘ୍ର ଆସନ ଆବଂଟନ ହେବ । ଆପୋସ ବୁଝାମଣା କରାଯାଇ ଆସନ ବଂଟା ଯିବ । ଏଥିପାଇଁ କଂଗ୍ରେସକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏହା ପୂର୍ବରୁ ଟିଏମ୍ସି ଓ ଆମ ଆଦମୀ ପାର୍ଟି ଏକାକୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରି ସାରିଛନ୍ତି । ଯାହାକୁ ନେଇ ମେଂଟ ଆଗକୁ ବଡଧରଣର ଆଭ୍ୟନ୍ତରୀଣ କନ୍ଦଳକୁ ସାମ୍ନା କରିବାକୁ ଯାଉଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Advertisment

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଖାସ କରି ଛତିଶଗଡ-ମଧ୍ୟପ୍ରଦେଶ ଫଳାଫଳ ବିରୋଧୀ ଶିବିରକୁ ଚିନ୍ତାରେ ପକାଇଛି । ଯଦିଓ ଲୋକସଭା ନିର୍ବାଚନରେ ଏକଜୁଟ୍ ହୋଇ ନିର୍ବାଚନ ବଢିବାକୁ କଂଗ୍ରେସ ଓ ଅନ୍ୟ ବିଜେପି ବିରୋଧୀ ଦଳ ଲକ୍ଷ୍ୟ ରଖିଥିଲେ । କିନ୍ତୁ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ କମୁଥିବା ଦେଖୁ କୁଆଡେ ବିରୋଧୀ ଆଉ କଂଗ୍ରେସ ସହ ଯୋଡି ହୋଇ ଭୋଟ୍ ବ୍ୟାଙ୍କ ହରାଇବାକୁ ଚାହୁଁନଥିବା କୁହାଯାଉଛି । କାରଣ ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଭଳି ଅନେକ ବିରୋଧୀ ଦଳ ବିଭିନ୍ନ ରାଜ୍ୟରେ କ୍ଷମତାରେ ଅଛନ୍ତି । ଯେଉଁଠି କଂଗ୍ରେସର ଉପସ୍ଥିତି ମଧ୍ୟ ରହିଛି । ଏପରି ସ୍ଥିତିରେ ମମତା ଓ କେଜ୍ରିୱାଲ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି । ସେହିପରି ନିକଟରେ ଦଳୀୟ କନ୍ଦଳର ସାମ୍ନା କରୁଥିବା ନୀତୀଶ କୁମାରଆଙ୍କ ଜେଡିୟୁର ଆଭିମୁଖ୍ୟ ଆର୍ଜେଡି ଓ କଂଗ୍ରେସର ଚିନ୍ତା ବଢାଇ ଦେଇଛି ।

କଂଗ୍ରେସକୁ ଲାଗିପାରେ ଝଟକା !
- ପଂଜାବରେ ଆମ ଆଦ୍ମୀ ପାର୍ଟି, ପଶ୍ଚିମବଙ୍ଗରେ ଟିଏମସି ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି
- ୨୦୧୯ରେ ପଂଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍ସି ଏକା ଏକା ଲୋକସଭା ନିର୍ବାଚନ ଲଢ଼ିଥିଲେ
- ୪୨ଟି ଆସନରୁ କଂଗ୍ରେସ ୨ଟି ଓ ଟିଏମସି ୨୨ଟି ଆସନ ହାତେଇଥିଲା
- ୨୦୨୪ ପାଇଁ ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଗୋଷ୍ଠୀ ୨୩ଟି ଆସନ ଦାବି କରିଛି
- କଂଗ୍ରେସ ଶିବସେନା ଉଦ୍ଧବ ଗୋଷ୍ଠୀର ଦାବିକୁ ପ୍ରତ୍ୟାଖାନ କରିଛି
- ୨୦୧୯ରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ
- ୪୮ଟି ଆସନରୁ କଂଗ୍ରେସ ୧ଟି ଓ ଏନସିପି ୪ଟି ଜିତିଥିଲା
- ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ
- ଶିବସେନା ୧୮ ଓ ବିଜେପି ୨୩ଟି ଆସନ ହାତେଇଥିଲା

ଦଳୀୟ ଭିତିଭୂମୀକୁ ସୁଦୃଢ କରିବା ପାଇଁ କଳ ବଳ କୌଶଳ ସବୁ ଲଗାଇ ଦେଲାଣି କଂଗ୍ରେସ । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଏକାଧିକ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛି । ଦଳର ଆଗାମୀ ଭାରତ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ମୁମ୍ବାଇରେ ଶେଷ ହେବାକୁ ଯାଉଛି । ହେଲେ ଏସବୁ ଭିତରେ ବିରୋଧୀଙ୍କୁ ଏକଜୁଟ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ।