ବଗଲାକୁ ନେଇ ବଡ ଖବର । ପୁରୀ ଜିଲ୍ଲା ପ୍ରଶାସନ କହିଲା, ଘରୋଇ ଲଜ ମାଲିକଙ୍କୁ ବିକ୍ରି ହୋଇନି ବଗଲା ଜମି : ମେଘନାଦ ପାଚେରୀ ପାଖରୁ ଉଚ୍ଛେଦ ବେଳେ ଜମି ଦେଇଥିବା ସେବାୟତଙ୍କୁ ଦିଆଯାଇଛି ଧର୍ମଶାଳାର ୧୨ ପ୍ରତିଶତ ଜମି

214

କନକ ବ୍ୟୁରୋ : ପୁରୀ ବଗଲା ଧର୍ମଶାଳାକୁ ନେଇ ଆସିଲା ବଡ ଖବର । ଧର୍ମଶାଳ ଜମି ବିକ୍ରି ନେଇ ଅଭିଯୋଗ ହେବା । ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ରାଜ୍ୟ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଭର୍ତ୍ସନା କରାଯାଇଛି । ଆଉ ଏତିକି ବେଳେ ବଗଲା ଧର୍ମଶାଳା ପ୍ରସଙ୍ଗରେ ଏକ ବଡ ତଥ୍ୟ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ କୁହାଯାଇଛି, ଘରୋଇ ଲଜ ମାଲିକଙ୍କୁ ବିକ୍ରି ହୋଇନି ବଗଲା ଧର୍ମଶାଳା ଜମି । କେବଳ ମେଘନାଦ ପାଚେରୀ ପାଖରୁ ୭୫ ମିଟର ଉଚ୍ଛେଦ ବେଳେ ଜମି ଦେଇଥିବା ସେବାୟତଙ୍କୁ ଧର୍ମଶାଳାର ୧୨ ପ୍ରତିଶତ ଜମି ଦିଆଯାଇଛି ।

ବଗଲା ବିବାଦକୁ ତେଜିଲା ବିଜେପି । ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରି ଦଳର ମତାମତ ରଖିବାକୁ ଖାସ ଦିଲ୍ଲୀରୁ ଆସିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀରେ ବିଜେପିର ଲୋକସଭା ପ୍ରାର୍ଥୀ ଥିଲେ ଡକ୍ଟର ସମ୍ବିତ ପାତ୍ର । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବିତ ପାତ୍ର । କହିଛନ୍ତି ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଦାନ ସୂତ୍ରରେ ମିଳିଥିବା ଏକ ଧର୍ମଶାଳାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ବିକ୍ରି କରାଯିବା ବେଆଇନ ।

ଏହି ପ୍ରସଙ୍ଗରେ ସେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନକୁ ଜୋରଦାର ଟାର୍ଗେଟ କରିଛନ୍ତି । ପୁରୀ ଯାଇ ନିଜେ ବଗଲା ଧର୍ମଶାଳା ବୁଲି ଦେଖିବା ପରେ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି । ୧୧୫ ବର୍ଷ ପୂର୍ବେ ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଏହି ଧର୍ମଶାଳାକୁ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦାନ ଆକାରରେ ଦେଇଥିଲେ । ତେଣୁ କିଭଳି ଏହାକୁ ଲଜ ମାଲିକଙ୍କୁ ଟେକି ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।