ଡେଡଲାଇନ ସରି ଆସୁଥିଲା, ରାତି ଅଧରେ କାମ ଚାଲିଥିଲା । ଗତ ଫେବ୍ରୁଆରୀରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଧର୍ମେନ୍ଦ୍ର, ଆଉ କିଛି ଦିନ ପରେ ଶେଷ ହୋଇଥାନ୍ତା କାମ । କିନ୍ତୁ ରାତି ଅଧରେ ହୋଇଗଲା ବଡ ଅଘଟଣ… ।

241

କନକ ବ୍ୟୁରୋ : ଭୁଶୁଡିଲା ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ।  ଟର୍ମିନାଲ-୧ ଓ ଟର୍ମିନାଲ-୨ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅଘଟଣ ହୋଇଛି । ଭୁଶୁଡି ପଡିଥିବା ଛାତ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଜଣା ପଡିଛି । ପ୍ରାୟ ୬୦ ଫୁଟର ଲମ୍ବା ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । କାମ ଶେଷ ହୋଇ ଆସୁଥିବା ବେଳେ ଏଭଳି ଅଘଟଣ ହୋଇଛି ।  ୮୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ଫେବ୍ରୁଆରୀ ୨୪ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟ ଶେଷ କରିବାକୁ ଡେଡଲାଇନ ରଖାଯାଇଥିଲା । ଯେହେତୁ ସମୟସୀମା ସରି ଆସୁଥିଲା ତେଣୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତରବରିଆ ଭାବେ କାମ ଚାଲିଥିବା ନେଇ ସନ୍ଦେହ କରାଯାଉଛି । ଏପରିକି ଶ୍ରମିକଙ୍କୁ ରାତି ଅଧିଆ କାମ କରିବାକୁ ପଡୁଥିଲା । ବିନା ସୁରକ୍ଷା ବନ୍ଦୋବସ୍ତର କାମ ଚାଲିଥିଲା କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏପରିକି ଦୁର୍ଘଟଣାକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ମୁହଁ ନ ଖୋଲିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଟର୍ମିନାଲ-୨ର ଆଧୁନୀକରଣ କରାଯାଇ  ଏଥିରେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମିଳୁଥିବା ସୁବିଧା ଯୋଗାଇଦେବାକୁ ନିର୍ମାଣ କରାଯାଉଥିଲା । ଏଥିପାଇଁ ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ସଂଯୋଗ କରାଯିବାକୁ ନିର୍ମାଣ କରାଯାଉଥିଲା । ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ କରାଇବାକୁ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏରୋବ୍ରିଜରେ ବିମାନକୁ ଯାତାୟତ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପିଂ, ଖାଦ୍ୟପାନୀୟ, ଚେକିଂ ବ୍ୟବସ୍ଥା,  ଆତିଥେୟତା ଉପଲବ୍ଧ କରାଇବାକୁ ଏହି ନିର୍ମାଣ ହେଉଥିଲା ।

ତେବେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାରୁ ପୂର୍ବରୁ ଏଭଳି ଅଘଟଣ ହୋଇଛି । ଏଥିରେ କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଏବେ ମଧ୍ୟ ଜଣେ ଶ୍ରମିକ ଫଶି ରହିଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଲା ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ମୁହଁ ଖୋଲୁନାହାନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।ତେଣୁ ଦୁର୍ଘଟଣା ପଛରେ କେଉଁଠି ନା କେଉଁଠି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ରୁଟି ବା ଅବହେଳା ରହିଥିବା କୁହାଯାଉଛି । ଏପରିକି ରାତି ଅଧରେ କାମ କରିବାକୁ ଠିକା କମ୍ପାନିକୁ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।