ଭୁବନେଶ୍ୱର ବିମାନ ବନ୍ଦର ଛାତ ଭୁଶୁଡିବା ଘଟଣା : ଭଙ୍ଗା ଛାତ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ, ଅଘଟଣକୁ ନେଇ ସନ୍ଦେହ ଘେରରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଠିକା ସଂସ୍ଥାର ମାଲିକ ।

214

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦର ଛାତ ଭୁଶୁଡିବା ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଘଣ୍ଟାର କସରତ ପରେ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଛାତ ତଳେ ଦବି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ତେବେ ହସ୍ୱିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ହେଉଛନ୍ତି କଟକ ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ । ତାଙ୍କ ଶରୀର ଉପରେ ସିମେଣ୍ଟ ଖଣ୍ଡ ସହ ରଡ ଓ ବାଲି ମଧ୍ୟ ପଡି ରହିଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଅନ୍ୟଜଣେ ଆହତ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରମିକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଠିକା ସଂସ୍ଥା । କାରଣ ରାତିରେ ବିନା ସୁରକ୍ଷାରେ କିଭଳି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଗଲା ଓ ଏଥିପାଇଁ କିଏ ଅନୁମତି ଦେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହାଛଡା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମାଲିକ ଯେଉଁଭଳି ବେପାରୁଆ ବୟାନ ଦେବା ସହ ଦୁର୍ଘଟଣା ପାଇଁ ଶ୍ରମିକଙ୍କୁ ଦାୟୀ କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ । ଏପରିକି ଏହି ଘଟଣାରେ ବିମାନ ବନ୍ଦର କର୍ତ୍ତୃପକ୍ଷ ମୁହଁ ନ ଖୋଲିବା କେଉଁଠି ନା କେଉଁଠି ତାଙ୍କ ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଏହାଛଡା ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ଦୁର୍ଘଟଣା ହୋଇନାହିଁ ତ ସେ ଦିଗକୁ ମଧ୍ୟ ଅଙ୍ଗୁଳି ଉଠିଛି । ତେଣୁ ଏହି ଘଟଣାର ଯାଞ୍ଚ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଉଠିଛି ଦାବି ।