ଶାରଜାରେ ଆଇପିଏଲର ରୋମାଂଚ: ହାଇସ୍କୋରିଂ ମ୍ୟାଚରେ ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲା ରାଜସ୍ଥାନ; ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ମୋଡ ବଦଳାଇ ଦେଲେ ତେୱାଟିଆ

310

କନକ ବ୍ୟୁରୋ: ଆଇପିଏଲର ଏକ ରୋମାଂଚକର ମ୍ୟାଚରେ କିଙ୍ଗ୍ସ ଇଲେଭେନ୍ ପଂଜାବକୁ ୪ ୱକେଟ୍ରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ଶାରଜାରେ ଖେଳ ହେଉଥିବା ନବମ ମ୍ୟାଚରେ ରାଜସ୍ଥାନ-ପଞ୍ଜାବ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା । ଏହି ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଂଜୁ ସାମସନ୍ ଓ ରାହୁଲ ତେୱାଟିଆ ଧୁଆଁଧାର ବ୍ୟାଟିଂ କରି ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲେ । ସାମ୍ସନ୍ ୪୨ଟି ବଲରେ ୮୫ ରନ୍ ଏବଂ ତେୱାଟିଆ ମାତ୍ର ୩୧ଟି ବଲରେ ୫୩ ରନ୍ କରିଥିଲେ । ଉଭୟ ୭ଟି ଲେଖାଁଏ ଛକା ମାରି ପଡ଼ିଆରେ ରୋମାଂଚ ଭରି ଦେଇଥିଲେ । ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୨୨୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା କିଙ୍ଗସ ଇଲେଭେନ ପଞ୍ଜାବ । ମୟଙ୍କ ଅଗ୍ରୱାଲ ୧୦୬ରନ କରି ଦଳକୁ ଏକ ବଡ ସ୍କୋର କରିବାରେ ସହାୟକ ହୋଇଥିଲେ । ମାତ୍ର ୪୫ ବଲ ଖେଳି ମୟଙ୍କ ଅଗ୍ରୱାଲ ଧୂଆଁଧାର ଶତକ ହାସଲ କରିଥିଲେ । ମୟଙ୍କ ଅଗ୍ରୱାଲ ଏବଂ କେ ଏଲ ରାହୁଲଙ୍କ ଯୋଡି ଦଳକୁ ଏକ ଚ୍ୟାଲେଜିଂ ସ୍କୋର କରିବାରେ ସମର୍ଥ ହୋଇଥିଲେ । କିଙ୍ଗସ ଇଲେଭେନ ପଞ୍ଜାନ ମାତ୍ର ୨ଟି ୱିକେଟ ହରାଇ ୨୨୩ ରନ କରିବାକୁ ସକ୍ଷମ ହୋଇଥିଲା ।

୨୨୪ ରନ ବିଜୟ ଲକ୍ଷ୍ୟର ପିଛା କରି ପ୍ରଥମରୁ ରାଜସ୍ଥାନ ରୟାଲସର ବିସ୍ଫୋରକ ବ୍ୟାଟିଂ କରିଥିଲା । ୩ଟି ବଲ୍ ବାକି ଥାଇ ରାଜସ୍ଥାନ ରୟାଲ୍ସ ଏହି ହାଇସ୍କୋରିଂ ମ୍ୟାଚରେ ବିଜୟ ହାସଲ କରିଥିଲା । ୬ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସମର୍ଥ ହୋଇଥିଲା ରାଜସ୍ଥାନ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ରାହୁଲ ତେୱାଟିଆଙ୍କ ଦର୍ଶନୀୟ ଛକା । ସେଲଡନ୍ କଟରେଲ୍ଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ଖେଳର ମୋଡ ବଦଳାଇ ଦେଇଥିଲେ ତେୱାଟିଆ ।