ମାଟ୍ରିକ୍ ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି । ସେଟ୍-‘ବି’ ପ୍ରଶ୍ନପତ୍ରକୁ ନେଇ ଅସନ୍ତୋଷ

140

କନକ ବ୍ୟୁରୋ: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି । ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ସାମାଜିକ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ରାଜ୍ୟର ଏକାଧିକ ସ୍କୁଲରୁ ଆସିଛି ଅଭିଯୋଗ । ସେଟ୍ ବି ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହୋଇଛି । କିଛି ସ୍କୁଲରେ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟର ପ୍ରଶ୍ନ ବାହାରିଥିଲା ବୋଲି ଅଭିଯୋଗ ହୋଇଛି । ସେହିପରି ‘ବି’ ସେଟରେ ୫୦ଟି ପ୍ରଶ୍ନ ସ୍ଥାନରେ ୪୯ଟି ପ୍ରଶ୍ନ ବାହାରିଥିଲା ଏବଂ ୧୯ ନମ୍ବର ପ୍ରଶ୍ନ ନଥିଲା ବୋଲି ଅଭିଯୋଗ ହୋଇଛି । ଏମିତି କି ‘ବି’ ସେଟ୍ ପ୍ରଶ୍ନପତ୍ରରେ ଏକାଧିକ ପ୍ରଶ୍ନ ବାରମ୍ବାର ରିପିଟ୍ ହୋଇଥିବା ଅଭିଯୋଗ ହୋଇଛି ।

  • ମାଟ୍ରିକ୍ ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ
  • ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି !
  • ସେଟ୍-‘ବି’ ପ୍ରଶ୍ନପତ୍ରକୁ ନେଇ ଅସନ୍ତୋଷ

ଏପଟେ ବଲାଙ୍ଗୀର ସହରରୁ ଆସିଛି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରର ଲିକ୍ ଅଭିଯୋଗ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇ ବାହାରିବା ପରେ ଘୁରିବୁଲୁଥିବା ପ୍ରଶ୍ନପତ୍ର ଏବଂ ପରୀକ୍ଷା ଦେଇଥିବା ପ୍ରଶ୍ନପତ୍ର ମଧ୍ୟରେ ମେଳ ଖାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗ ବିଧାନସଭାରେ ବି ଉଠାଇଛନ୍ତି ବିରୋଧୀ ଦଳ ନେତା । ଗୋଟିଏ ଗୋଟିଏ ପ୍ରଶ୍ନପତ୍ର ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର । ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ।

ଏସବୁ ଭିତରେ ମାଟ୍ରିକ୍ ପ୍ରଶ୍ନପତ୍ର ବିଭ୍ରାଟ ନେଇ ସାମ୍ବାଦିକ ସମ୍ମିଳନୀ କରି ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ମାନିଛନ୍ତି ବୋର୍ଡ କର୍ତୃପକ୍ଷ । ତେବେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଖଣ୍ଡନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି । ସେ କହିଛନ୍ତି- ସେଟ୍ ‘ବି’ ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ଥିଲା । ଏଥିରେ ଛାତ୍ରଛାତ୍ରୀ ଚିନ୍ତିତ ହୁଅନ୍ତୁ ନାହାଁ । କୌଣସି ଅସୁବିଧା ହେବ ନାହିଁ । ଏମିତି କି ଆଉ ଥରେ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବୋର୍ଡ ଅଧ୍ୟକ୍ଷ । ତେବେ ବୋର୍ଡ ପକ୍ଷରୁ ଏହି ସ୍ପଷ୍ଟିକରଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଥିଲେ ମଧ୍ୟ ମୁଦ୍ରଣଜନିତ ଦୃଷ୍ଟି ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, କେଉଁଠି ନା କେଉଁଠି ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି ।