କନକ ବ୍ୟୁରୋ: ଜୁଆଡେ ଚାହିଁବ ସିଆଡେ ଆବର୍ଜନା ହିଁ ଆବର୍ଜନା। ଦୁର୍ଗନ୍ଦ ସାଙ୍ଗକୁ ଅପରିଷ୍କାର ପରିବେଶ। ଏହା କୌଣସି ଡମ୍ପିଂୟାଡ କି ଅଳିଆଗଦା ନୁହେଁ। ଯାଜପୁର ଜିଲ୍ଲାର ପ୍ରମୁଖ ସ୍ୱୟଂଶାସିତ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଛାତ୍ରବାସର। ଏଠାରେ ଶହଶହ ଅନ୍ତେବାସୀ ରହୁଛନ୍ତି। ହେଲେ ଛାତ୍ରବାସଟି ରହିବା ଉପଯୋଗୀ ନଥିବା ବେଳେ ଭାଗ୍ୟକୁ ଆଦରି ଭବିଷ୍ୟତ ଗଢ଼ୁଛନ୍ତି ଛାତ୍ର।
ନରସିଂହ ଚୌଧୁରୀ ମହାବିଦ୍ୟାଳୟ.. ପୂର୍ବ ଓଡିଶାର ପ୍ରଥମ ସ୍ୱୟଂଶାସିତ ମହାବିଦ୍ୟାଳୟ। ଯାଜପୁର ଜିଲ୍ଲା ସମେତ ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲ୍ଲାର ଶହଶହ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ିଥାନ୍ତି। କଲେଜର ଛାତ୍ରବାସକୁ ଦେଖି ଅନ୍ତେବାସୀ ହଷ୍ଟେଲ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। କାରଣ ବାହାରକୁ ଚକାଚକ ଦେଖା ଯାଉଥିବା ହଷ୍ଟେଲ ଭିତର ଅବସ୍ଥା ସଂଘାତିକ। ଅତିଦୟନୀୟ ଭାବେ ଭାଗ୍ୟକୁ ଆଦରି ୩ ମହଲା ଛାତ୍ରବାସରେ ରହୁଛନ୍ତି ୩ ଶହ ଅନ୍ତେବାସୀ। ଛାତ୍ରବାସରେ କେବେ ଝାଡୁ ମରା ହେଉନି! ଗାଈ ଓ ଷଣ୍ଢ ବୁଲାବୁଲି କରୁଛନ୍ତି! ପିଇବା ପାଣି ମେସିନ ଅଚଳ। ପିଲାମାନେ ସିଧାସଳଖ ଟାଙ୍କି ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି।
ହଷ୍ଟେଲ ପାଇଁ ପାଇଁ ବାର୍ଷିକ ୧୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ସଂଗ୍ରହ କରାଯାଉଛି। ଯାହାକି ସଠିକ ବିନିଯୋଗ ହେଉନାହିଁ। ଯାହାର ପରିଣାମ ସ୍ୱରୂପ ଛାତ୍ରାବାସ ଛାତରୁ ପାଣି ଗଳୁଛି। ବେଳେବେଳେ କଂକ୍ରିଟ ଖସି ପଡୁଥିବା ଅନ୍ତେବାସୀ କହିଛନ୍ତି। ସେପଟେ ୬ ମାସ ହେଲା ପାଇଖାନା ମରାମତି ଚାଲିଛି। ତେଣୁ ୩ ଶହ ପିଲା ୩ଟି ଶୌଚାଳୟକୁ ବ୍ୟବହାର କରୁଛନ୍ତି । ହେଲେ ଏକଥା କଲେଜ କର୍ତ୍ତୃପକ୍ଷଙ୍କୁ ଜଣାନାହିଁ ।
ପିଲାଙ୍କ ଠାରୁ ଆଦାୟ ଅର୍ଥ ବାଟମାରଣା ହେଉଥିବାର ଅଭିଯୋଗ ହୋଇଛି। କଲେଜ ଅଧ୍ୟକ୍ଷ ଛାତ୍ରବାସ ପରିଦର୍ଶନରେ ଯାଇଥିବା ବେଳେ ଅନ୍ତେବାସୀ ଅଧ୍ୟକ୍ଷଙ୍କୁ ଘେରି ନିଜର ହକ୍ ଦାବି କରିଥିଲେ। ଅନ୍ତେବାସୀମାନେ ଭଗବାନ ଭରସାରେ ରହୁଥିବା ବେଳେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ ଶୈଖିତ ବାତାବରଣକୁ ନଷ୍ଟ କରୁଥିବାରୁ ପିଲାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଯାଜପୁରରୁ ଅନିଲ କୁମାର ପଣ୍ଡା)