ଅପରାହ୍ନରେ ବିଜେଡିର ବଡ ବୈଠକ । ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା । ନିବାର୍ଚନ ସଂକ୍ରାନ୍ତରେ ହେବ ଆଲୋଚନା ।

1,131

କନକ ବ୍ୟୁରୋ: ଅପରାହ୍ନରେ ବିଜେଡିର ବଡ ବୈଠକ । ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ମିଳୁଛି ।

ତେବେ ନବୀନ ନିବାସରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି । କେବଳ ନିବାର୍ଚନ ସଂକ୍ରାନ୍ତରେ ବିଜେଡି ସୁପ୍ରିମୋ ଦଳର ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳୁଛି । ଏଥିପାଇଁ ଦଳର କିଛି ବରିଷ୍ଠ ବିଧାୟକ, ଏବଂ କୋର୍ ସଦସ୍ୟଙ୍କୁ ନବୀନ ନିବାସରୁ ଡକରା ଆସିଛି । ତେବେ ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ରାଜ୍ୟ ବିଜେପି ନେତାଙ୍କର ମଧ୍ୟ ବୈଠକ ବସିବାକୁ ଅଛି । ସନ୍ଧ୍ୟା ୫ଟା ସମୟରେ ଏହି ବୈଠକ ବସିବ । ଏଥିପାଇଁ ରାଜ୍ୟ ବିଜେପିର ନେତାମାନେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ତେଣୁ ଏଭଳି ସମୟରେ ବିଜେଡିର ଏହି ବୈଠକ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

ବିଜେଡି-ବିଜେପିର ଏହି ଦୁଇଟି ବୈଠକ ପୃଥକ ପୃଥକ ହେଉଥିଲେ ମଧ୍ୟ ଏହାକୁ ଏକାଠି କରି ଦେଖିବା ଆରମ୍ଭ କରିଛନ୍ତି ରାଜନୈତିକ ବିଶ୍ଲେଷକ । ସମ୍ଭବତଃ ଏହି ଦୁଇଟି ବୈଠକରେ ଦୁଇ ଦଳର ମେଣ୍ଟ ନେଇ ନେତାଙ୍କ ଭିତରେ ଚର୍ଚ୍ଚା ଆଲୋଚନା ହେଇପାରେ ବୋଲି କୁହାଯାଉଛି । ହେଲେ ଏହା ପୂର୍ବରୁ କିନ୍ତୁ ଦୁଇ ଦଳର ନେତା ମେଣ୍ଟ ଚର୍ଚ୍ଚାକୁ ଖୋଲାଖୋଲି ଭାବେ ଗୁଜବ ବୋଲି କହିସାରିଛନ୍ତି । ହେଲେ ମୋଦୀ ଓଡିଶାରୁ ଯିବାର ୨୪ ଘଣ୍ଟା ନପୁରୁଣୁ ଦୁଇ ଦଳର ଏହି ବୈଠକ ରାଜନୈତିକ ସମୀକ୍ଷକଙ୍କୁ ମେଣ୍ଟ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି ।