କନକ ବ୍ୟୁରୋ: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି । ବିପୁଳ ଭୋଟରେ ଦିଲ୍ଲୀ ନଗର ନିଗମକୁ କବଜା କରିଛି ଦଳ । କିନ୍ତୁ ଗୁଜରାଟ ବିଧାନସଭା ନିର୍ବାଚନରେ ଠିକ ଓଲଟା ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଥିଲା କି ଆମ ଆଦମୀ ପାର୍ଟି ଯେଉଁ ଷ୍ଟ୍ରାଟେଜି ଆପଣାଇ ପଞ୍ଜାବରେ କମାଲ କରିଥିଲା ଠିକ୍ ସେଭଳି କିଛି ବୋଧହୁଏ ଗୁଜରାଟରେ ଦେଖିବାକୁ ମିଳିବ । କିନ୍ତୁ ଦଳ ଗୁଜରାଟ ମାଟିରେ ଫିକା ପଡିଛି । ଏଠାରେ ଅସ୍ତିତ୍ୱ ଜାହିର କରିବା ପାଇଁ ଦଳ ପ୍ରଚାରଠୁ ନେଇ ପ୍ରତିଶ୍ରୁତି, ଯାହା କିଛି କରିଥିଲା ସେସବୁ ଫେଲ ମାରିଛି । ଗୁଜରାଟରେ ଆପର ହୋଇଛି ବଡ ପରାଜୟ ।

Advertisment
  • ଗୁଜରାଟରେ ଖାତା ଖୋଲିଲା ଆମ ଆଦମୀ ପାର୍ଟି
  • ହେଲେ କାମ ଦେଲାନି କେଜ୍ରିୱାଲଙ୍କ ଫର୍ମୂଲା

ଗୁଜରାଟରେ ପରିବର୍ତନର ନାରା ଦେଇଥିଲେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କିନ୍ତୁ ସବୁ ସୋ ଫ୍ଲପ୍ ହୋଇଛି । ୧୮୨ ଆସନ ବିଶିଷ୍ଟ ଗୁଜରାଟରେ ଆପ ୧୦ରୁ କମ ସିଟରେ ସୀମିତ ହୋଇ ରହିବା ନିଶ୍ଚିତ ଭାବେ ଦଳ ପାଇଁ ଏକ ବଡ ଝଟକା । ଦଳକୁ ବଡ ଝଟକା ଦେଇଛନ୍ତି ଗୁଜରାଟର ଆପ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପର ଗୁଜରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇଶୁଦାନ ଗଢବୀ । ଖଂଭାଳିଆ ଆସନରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ ପ୍ରାର୍ଥୀ ହୋଇଥିଲେ । ଏହି ଆସନରେ ବିଜେପି ପ୍ରାର୍ଥୀ ମୁଲୁଭାଇ ବେରା ଜିତିଛନ୍ତି । କତରମାଗ ବିଧାନସଭା ଆସନରୁ ଆପର ପ୍ରଦେଶ ଅଧ୍ୟକ୍ଷ ଗୋପାଳ ଇଟାଲିଆ ପରାସ୍ତ ହୋଇଛନ୍ତି । ପଟିଦାର ଗଡଥିବା ବରାଚ୍ଛା ଆସନରୁ ପଟେଲ ନେତା ଆପର ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜୟର ମୁହଁ ଦେଖିଛନ୍ତି । ଏହି ଚର୍ଚ୍ଚିତ ଚେହେରାଙ୍କ ପରାଜୟ ଦଳକୁ ବଡ କ୍ଷତି ପହଁଚାଇଛି ।

ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳୀୟକର୍ମୀଙ୍କ ମନୋବଳ ବୃଦ୍ଧି କରିଛନ୍ତି ଆଉ କହିଛନ୍ତି ୧୦ବର୍ଷ ପୂର୍ବରୁ ଆଞ୍ଚଳିକ ଦଳ ଭାବେ ଆପ ଗଠନ ହୋଇଥିଲା । ଏବେ ଜାତୀୟ ଦଳର ମାନ୍ୟତା ପାଇବାକୁ ଯାଉଛି । ବିଜେପିର ଗଡକୁ ଭେଦ କରିଛି ଓ ଆଗାମୀ ନିର୍ବାଚନରେ ଦଳ ବିଜୟ ହାସଲ କରିବ ।

  • ହିମାଚଳପ୍ରଦେଶରେ ଚାଲିଲାନି ‘ଝାଡ଼ୁ’ମ୍ୟାଜିକ
  • ଖାତା ଖୋଲିପାରିଲାନି ଆମ ଆଦମୀ ପାର୍ଟି

ଜାତୀୟ ଦଳ ଭାବେ ଉଭା ହେବା ପାଇଁ ଆପ ଉଭୟ ଗୁଜରାଟ ଓ ହିମାଚଳ ଉପରେ ଫୋକସ କରିଥିଲା । ଗୁଜରାଟରେ ଦଳର ବଡ ପରାଜୟ ହୋଇଛି କିନ୍ତୁ ହିମାଚଳରେ ଦଳକୁ ସବୁଠୁ ବଡ ଝଟକା ଲାଗିଛି । କାରଣ ଦଳ ଏଠାରେ ଖାତା ଖୋଲିବାରେ ମଧ୍ୟ ଫେଲ ମାରିଛି । ଏଥିସହ ହିମାଚଳରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜୁଥିବା ଆପକୁ ଲାଗିଛି ବଡ ଝଟକା ।

୬୮ ଆସନରୁ ୬୭ ଆସନରେ ଅମାନତ ହରାଇଛି ଦଳ । ନିର୍ବାଚନ ଫଳାଫଳ ଆସିବା ପରେ ପରିସ୍ଥିତି ଏଭଳି ହୋଇଛି ଅନେକ ଗୁଡିଏ ବିଧାନସଭା ଆସନରେ ନୋଟାରେ ଅଧିକ ଭୋଟ ପଡିଛି । ୨୪ଟି ଆସନରେ ନୋଟାଠୁ ବି ପଛରେ ରହିଛି ଆପ୍ । ୧୪ଟି ଆସନରେ ଦଳକୁ ପାଖାପାଖି ୧୦୦୦ ଭୋଟ ମିଳିଛି । ୫୨ଟି ଆସନରେ ଆପ କେବଳ ୧ ପ୍ରତିଶତ ଭୋଟ ସେୟାର ପାଇବାରେ ସଫଳ ହୋଇଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦଳକୁ ପୂରା ରାଜ୍ୟରେ ମାତ୍ର ୧.୧ ପ୍ରତିଶତ ଭୋଟ ମିଳିଛି । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି କି ହିମାଚଳବାସୀ ଆପକୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାଖାନ କରିଛନ୍ତି ।

ଉଭୟ ରାଜ୍ୟରେ ଶୋଚନୀୟ ପରାସ୍ତ ହେବା ପରେ ଆଗକୁ ଆମ ଆଦମୀ ପାର୍ଟିର ଆଭିମୁଖ୍ୟ କଣ ରହୁଛି ତା ଉପରେ ନଜର ରହିବ । ୨୦୨୪ ସାଧାରଣ ନିର୍ବାଚନରେ ଦଳ କିଭଳି ସାଂଗଠନିକ ସ୍ତରରେ ମଜବୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ, ତାହା ଦେଖିବାକୁ ବାକି ରହିଲା ।