କନକ ବ୍ୟୁରୋ: ଅଚଳ ହୋଇଗଲା ବିଶ୍ୱ। ଅନଲାଇନ ସେବା ଉପରେ ଆମେ କେତେ ନିର୍ଭରଶୀଳ ହୋଇପଡିଛୁ ତାହା ଆଜି ଦେଖିବାକୁ ମିଳିଛି। ବିମାନ, ରେଳ ଚଳାଚଳ, ବ୍ୟାଙ୍କ ଓ ମେଡିକାଲ ସେବା, ଷ୍ଟକ ମାର୍କେଟ ଭଳି ଅନଲାଇନ ସେବା ଅଟକି ଯାଇଛି। ବିଶ୍ୱର ଅନ୍ୟତମ ଅଗ୍ରୀଣ ସଫ୍ଟଓ୍ୱାୟାର କମ୍ପାନୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହେବା ପରେ ଏଭଳି ଅଚଳାବସ୍ଥା ଦେଖାଦେଇଛି ।
ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା ଫଳରେ ସାରାବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି। ଆଉ ଏ ହେଉଛି ଭୁବନେଶ୍ୱର ବିମାନ ବନ୍ଦରରେ ତାର ପ୍ରଭାବ। ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ଯାତ୍ରୀ। ଏକାଧିକ ଫ୍ଲାଇଟ୍ ବାତିଲ ହୋଇଥିବାବେଳେ ହାତ ଟେକି ଦେଇଛନ୍ତି ସେବା ପ୍ରଦାନକାରୀ କମ୍ପାନି। କୌଣସି ବିକଳ୍ପ ନଥିବାରୁ ଟିକେଟ୍ ବାତିଲ ବାବଦ ପଇସା ଫେରସ୍ତ ନେଇଯିବାକୁ ଅନୁରୋଧ କରୁଛନ୍ତି। ଏହିଭଳି ଅବସ୍ଥା ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ମାଇକ୍ରୋସଫ୍ଟ ସର୍ଭର କ୍ରାସ ଯୋଗୁଁ ୱିଣ୍ଡୋସରେ କାମ କରୁଥିବା ସିଷ୍ଟମଗୁଡିକ ଅଚଳ ହୋଇପଡିଛି। ଫଳରେ ଇଣ୍ଡିଗୋ ପକ୍ଷରୁ କିଛି ଯାତ୍ରୀଙ୍କୁ ହାତରେ ବୋଡିଂ ପାସ ଲେଖି ଦେଉଥିବା ଦେଖିବାକୁ ମିଳିଛି ।
ଶୁକ୍ରବାର ସକାଳୁ ୱିଣ୍ଡୋସରେ କାମ କରୁଥିବା ଲକ୍ଷଲକ୍ଷ ସିଷ୍ଟମରେ ହଠାତ୍ ବ୍ଲୁ ସ୍କ୍ରିନ୍ କିମ୍ବା ସିଷ୍ଟମ ରି-ଷ୍ଟାର୍ଟ ଓ ସଟଡାଉନ୍ ଭଳି ସମସ୍ୟା ଦେଖାଦେଇଥିଲା। ସର୍ଭର ସଟ୍ଡାଉନ୍ ସମସ୍ୟା ପାଇଁ କ୍ରାଉଡ୍ ଷ୍ଟ୍ରାଇକକୁ ଦାୟୀ କରାଯାଉଛି। କ୍ରାଉଡ୍ ଷ୍ଟ୍ରାଇକ ନୂଆ ଅପଡେଟ୍ ଜାରି କରିଛି। ଏଥିରେ କନଫିଗୁରେସନ୍ ଭୁଲ ହେବାରୁ ମାଇକ୍ରୋସଫ୍ଟ ବ୍ୟବହାରକାରୀଙ୍କୁ ସମସ୍ୟା ହୋଇଛି।
କ୍ରାଉଡ୍ ଷ୍ଟ୍ରାଇକ କ’ଣ?
କ୍ରାଉଡ୍ ଷ୍ଟ୍ରାଇକ ଏକ ସାଇବର ସିକ୍ୟୁରିଟି କମ୍ପାନି
ଯାହା ମାଇକ୍ରୋସଫ୍ଟ ସମେତ ଅନ୍ୟ ୟୁଜର୍ସଙ୍କୁ ସିକ୍ୟୁରିଟି ସଲ୍ୟୁସନ ଦେଇଥାଏ
କମ୍ପାନି ଏକ ବଡ ଅପଡେଟ୍ କରିବା ପରେ ଏଭଳି ସମସ୍ୟା ଉପୁଜିଛି
ସର୍ଭର କ୍ରାସ ପରେ ସିଷ୍ଟମର ସ୍କ୍ରିନ ନୀଳ ରଙ୍ଗର ହୋଇଥାଏ
ଠିକ ସମୟରେ ଏହାକୁ ଅପଡେଟ କରାନଗଲେ ସର୍ଭର କ୍ରାସ ହୁଏ
ଅନେକ ଦେଶରେ ବିମାନ, ରେଳ ଚଳାଚଳ, ବ୍ୟାଙ୍କ ଓ ମେଡିକାଲ ସେବା, ଷ୍ଟକ ମାର୍କେଟ ଭଳି ଅନଲାଇନ ସେବା ଉପରେ ନିର୍ଭରଶୀଳ ସଂସ୍ଥା ଅଧିକ ପ୍ରଭାବିତ ହୋଇଛି । ମାଇକ୍ରୋସପ୍ଟ ପକ୍ଷରୁ ଏକ ବିବୃତି ଜାରି କରି କ୍ରାଉଡ ଷ୍ଟ୍ରାଇକ ଅପଡେଟ ଏହାର ମୁଖ୍ୟ କାରଣ ବୋଲି ସ୍ପଷ୍ଟିକରଣ ଦିଆଯାଇଛି। ସମସ୍ୟାକୁ ଗୁରୁତର ସହ ନେଇ ସମାଧାନ କରାଯାଉଥିବା ମାଇକ୍ରୋସଫ୍ଚ କହିଛି ।