ଜମି ଜବରଦଖଲକୁ ନେଇ ବଡ଼ ହଙ୍ଗାମା: ବୋମା ମାଡ଼ ପରେ ପୁରୁଷ ଶୂନ୍ୟ ହୋଇଗଲା ଗାଁ  । 

67

କନକ ବ୍ୟୁରୋ: ବ୍ରହ୍ମଗିରିରେ ବୋମାମାଡ଼ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ନାଥପୁର ଗାଁ । ପୁଲିସ ତଦନ୍ତ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ପୁରୁଷ । ଗାଁ ଦାଣ୍ଡରେ ଏବେବି ପଡିରହିଛି ଅଫୁଟା ବୋମା । ଜମି ବିବାଦକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଗଣ୍ଡଗୋଳରୁ ଗତକାଲି ଫୁଟିଥିଲା ୪୦ରୁ ଅଧିକ ବୋମା ।

ଜମି ଜବରଦଖଲକୁ ନେଇ ହୋଇଥିବା ବିବାଦ ପରର ଚିତ୍ର ଯିଏ କେହି ବି ଦେଖିବ ତା’ ଛାତି କୋରି ହେଇଯିବ । କାରଣ ଏବେ ବି ପଡି ରହିଛି ଅନେକ ଅଫୁଟା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ବୋମା ମାଡ ପରର ଦୃଶ୍ୟ ଛାତି କୁ ଦୋହଲାଇ ଦେଇଛି  । ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପୁଲିସ ତଦନ୍ତ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ପୁରୁଷ ମାନେ । କାରଣ ତାଙ୍କ ବିରୋଧରେ ଅଭିଯୋଗ ହେଉଛି, କଥାବାର୍ତ୍ତା ପାଇଁ ଆସିଥିବା ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ ବୋମା ଫୋଫାଡିବା ଆରମ୍ଭ କରିଥିଲେ ।

ଏ ପ୍ରସଙ୍ଗ ଏକ ଏମିତି ପ୍ରସଙ୍ଗ ଯାହା କେବଳ ଅଭିଯୋଗ କିମ୍ବା ପ୍ରତିଅଭିଯୋଗ ଉପରେ ଠିକ୍ କିମ୍ବା ଭୁଲ୍ ସ୍ଥିର କରିହେବ ନାହିଁ । ପ୍ରଶ୍ନ ଉଠୁଛି ଏ ପରିସ୍ଥିତି ପାଇଁ ଦାୟୀ କିଏ? କେଉଁ ପରିସ୍ଥିତିରେ ଏମିତି ଏକ ଭୟାନକ ଗଣ୍ଡଗୋଳ ଆରମ୍ଭ ହେଲା , ଯେଉଁଥିରେ ୧୦୦ରୁ ଅଧିକ ବୋମା ଫୋଫଡା ଯାଇଥିଲା ।

କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁୁର ନାମକ ଗାଁରୁ ୨୫ଟି ପରିବାର ଏହି ଜାଗାକୁ ଉଠି ଆସିଥିଲେ । ତେବେ ବର୍ଷେ ହେଲା ପ୍ରଶାସନ ଏମାନଙ୍କୁ ନିଜ ଗାଁକୁ ଫେରାଇ ନେବାକୁ ଉଦ୍ୟମ କରୁଥିଲା । କିନ୍ତୁ ତାହା ସଫଳ ହୋଇପାରିନଥିଲା । ଆଉ ଏହାରି ଭିତରେ ଏମାନଙ୍କ ସହ ଆଲୋଚନା ପାଇଁ ୩୫ ମୌଜା ପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲ । ଏହି ସମୟରେ ଏମାନେ ସେହି ପ୍ରତିନିଧିଙ୍କୁ ଆକ୍ରମଣ କରିବା ପରେ ପରିସ୍ଥିତି ବିଗିଡି ଯାଇଥିଲା  ।