ଗ୍ରୀଷ୍ମ ପ୍ରବାହ ଭିତରେ ବଡ ଆଶ୍ୱସ୍ତି: ଦିନକ ପୂର୍ବରୁ କେରଳରେ ଛୁଇଁଲା ମୌସୁମୀ

289

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ବେଳେ ମଣିଷ ଯେପରି ଟିକିଏ ଆଶ୍ୱସ୍ତି ପାଇଁ ଥଣ୍ଡା ପବନ କିମ୍ବା ବର୍ଷାକୁ ଅପେକ୍ଷା କରିଥାଏ । ଠିକ୍ ସେହିପରି ଚାଷୀଟିଏ ମଧ୍ୟ ଚାଷ କାର୍ଯ୍ୟ ଅନୁକୂଳ କରିବାକୁ ଅପେକ୍ଷା କରିଥାଏ ମୌସୁମୀର ଆଗମନକୁ । ଆଉ ଏ ହେଉଛି ସେହି ବର୍ଷା । ଚଳିତଥର କେରଳରେ ଆଗୁଆ ମୌସୁମୀ ଛୁଇଁଛି । ଅନେକ ସ୍ଥାନରେ ବର୍ଷା ମଧ୍ୟ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଉପକୂଳ ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ପହଂଚିଛି । ରବିବାର ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସୃଷ୍ଟି ହୋଇଥିବା ବାତ୍ୟା ମୌସୁମୀ ପ୍ରବାହକୁ ବଙ୍ଗୋପସାଗର ଆଡ଼କୁ ଟାଣି ନେଇଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି ଏବଂ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଂଚଳରେ ଆଗକୁ ବଢ଼ିଛି । ମେ’ ୧୫ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ମେ ୩୧ ସୁଦ୍ଧା କେରଳରେ ମୌସୁମୀ ପହଂଚିବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଗୋଟିଏ ଦିନ ପୂର୍ବରୁ କେରଳ ଛୁଇଁଛି ।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ କେରଳରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେଉଛି । ଯାହାକି ମେ ମାସରେ ଅଧିକ ବର୍ଷା ବୋଲି ରେକର୍ଡ ହୋଇଛି । ୩୦ ତାରିଖରେ କେରଳରେ ମୌସୁମୀ ପହଂଚିବା ପରେ ଏହା ଉତ୍ତର ଭାରତ ଆଡ଼କୁ ଗତି କରିବ । ଦେଶର ଅନ୍ୟ ରାଜ୍ୟରେ ମୌସୁମୀ କେବେ ପହଂଚିବ ସେ ନେଇ ପାଣିପାଗ ବିଭାଗ ଏକ ମାନଚିତ୍ର ଜାରି କରିଛି ।

ଜୁନ୍ ୧ କେରଳ
ଜୁନ୍ ୫ରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆ
ଜୁନ ୧୦ରେ ତେଲେଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ର
ଜୁନ୍ ୧୫ରେ ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜରାଟର କିଛି ଅଞ୍ଚଳ
ଜୁନ୍ ୨୦ରେ ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ
ଜୁଲାଇ ୫ରେ ଦେଶର ଅବଶିଷ୍ଟ ଅଂଚଳ
ରେମାଲ ଯୋଗୁଁ ମେଘାଳୟ, ମଣିପୁର ଓ ଆସାମର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।