ରାଜଧାନୀ ରାସ୍ତା ମଝିରେ ଯମ ଜଗିଛି, ନିଘୋଡ ନିଦରେ ପ୍ରଶାସନ ଶୋଇଛି…

142

କନକ ବ୍ୟୁରୋ: ବାଟ ମଝିରେ ଅନେଇ ରହିଛି ମୃତ୍ୟୁର ଗାଢ । ଏଠି ପାଦେ ପାଦେ ବିପଦ । ରାଜଧାନୀର ରାସ୍ତା ଉପରେ ଛକି ବସିଛି ଯମ । କିଏ କହିବ, କେତେବେଳେ, କେଉଁଠି କାହାକୁ ସେ ମୃତ୍ୟୁର ଗାତକୁ ଟାଣିନେବ ଆଉ ଅକାଳରେ ଜୀବନ ଚାଲିଯିବ । ସବୁଠୁ ବିଡମ୍ବନାର ବିଷୟ ଏ ମୃତ୍ୟୁର ଗର୍ତ ମଣିଷ କରିଛି, ବ୍ୟବସ୍ଥା କରିଛି ଆଉ ବିଏମସି ସବୁ ଦେଖି ଚୁପ ରହିଛି ।

ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ରାସ୍ତା କଡରେ ଏମିତି ଗାଢ ରହିଛି । ଖାଲି ନୟାପଲ୍ଲୀ ଅଂଚଳ ନୁହେଁ ରାଜଧାନୀର ଅନେକ ସ୍ଥାନରେ ରହିଛି ଏପରି ମରଣଯନ୍ତା । ନୟାପଲ୍ଲୀରେ ପ୍ରାୟ ୫ ଫୁଟର ଗାଢ ରହିଛି । ଏହି ଗାଢରେ ପଡି ଯେପରି କାହାରି ଜୀବନ ନଯାଏ, ସେଥିପାଇଁ ସତର୍କ ରହିଛନ୍ତି ଲୋକେ । ଆଉ ଦୁର୍ଘଟଣାରୁ ବଞ୍ଚିବା ପାଇଁ ସ୍ଥାନୀୟ ଲୋକେ ଡାଳ ପକାଇଛନ୍ତି ।

ତେବେ ରାଜଧାନୀର ମୁକୁଳା ଡ୍ରେନ ଦୁଇ ଦିନ ତଳେ ଜଣେ ଛାତ୍ରକୁ ଭସେଇ ନେବା ପରେ ବ୍ୟବସ୍ଥାର ଅସଲି ଚିତ୍ର ସାମ୍ନାକୁ ଆସିଛି । କେମିତି ପ୍ରଶାସନର ଅବହେଳା ପାଇଁ ସାଧାରଣ ଲୋକେ ଅହରହ ମୃତ୍ୟୁ ସହ ମୁହାଁମୁହିଁ ହେଉଛନ୍ତି ତାହା ଦେଖିଛି ଓଡିଶା । ଆଉ ରାଜଧାନୀର ମୁକୁଳା ଡ୍ରେନର ସତ ପଦାରେ ପଡିବା ପରେ ଏବେ ରାସ୍ତାର ହାଲତ ବି ହଇଚଇ ସୃଷ୍ଟି କରିଛି ।

ଭୁବନେଶ୍ୱରର ଅନେକ ସ୍ଥାନରେ ଏମିତି ଭୟଙ୍କର ଗାତ ରହିଛି । ଯାହା ଅନ୍ୟ ସମୟରେ ଦେଖାଯାଏ ସତ, ହେଲେ ବର୍ଷା ଦିନେ ପାଣି ଭରିଗଲେ ତାହା ପାଲଟିଯାଏ ଯମଜନ୍ତା । ଆଉ ସେହି ଗାତ ମୁହଁରେ ଯିଏ ଆସେ ପ୍ରାଣ ଯିବାଟା ସୁନିଶ୍ଚିତ । ବିରାଟ ବିରାଟ ଗାତରେ ପଡି ଲୋକେ ହେଉଛନ୍ତି ଆହତ, ଜୀବନ ଯିବାର ବି ରହିଛି ଭୟ । ତେଣୁ ଲୋକଙ୍କ ଦାବି ଏବେ ତ ନିଦରୁ ଉଠୁ ପ୍ରଶାସନ । ମିଡିଆ ମାଧ୍ୟମରେ ଆମେ ସମସ୍ୟା ଦେଖାଉଛି, ସମସ୍ୟା ତ ସମାଧାନ କରନ୍ତୁ ସରକାର । ଆଉ କେତେ ଦିନ ଏମିତି ଚୁପ ରହିବା, କେତେ ଦିନ ଆଉ ସହିବା ? କେତେ ଜୀବନ ଗଲେ, କେତେ ଅଘଟଣ ଘଟିଲେ ବିଏମସି, ସରକାର ଚେତିବେ ? ଦେଖ ବିଏମସି ଦେଖ, ରାସ୍ତାରେ ହେଇଛି ମୃତ୍ୟୁର ଗାତ ।