ସହରରେ ଘର କିଣିବା ହେବ ସହଜ ! ସହରରେ ରହୁଥିବା ଗରିବ, ଭଡାଟିଆଙ୍କୁ ମିଳିପାରେ ବଡ ଉପହାର

254

କନକ ବ୍ୟୁରୋ : ସହରରେ ରହୁଥିବା ଗରିବ, ଭଡାଟିଆଙ୍କୁ ବଡ ଉପହାର ଦେବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ଆଗକୁ ସାଧାରଣ ନିର୍ବାଚନ ରହିଛି । ଏପରି ସ୍ଥିତିରେ ମୋଦୀ ସରକାର କମ୍ ସୁଧରେ ଲୋକଙ୍କୁ ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ସ୍ମଲ୍ ଅର୍ବାନ ହାଉସିଂ ବା କ୍ଷୁଦ୍ର ସହରାଞ୍ଚଳ ଗୃହ ଉପରେ ସବସିଡି ଋଣ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଆଗାମୀ କିଛି ମାସରେ ବ୍ୟାଙ୍କଗୁଡ଼ିକ ଏ ସ୍କିମକୁ ପ୍ରଚଳନ କରିପାରନ୍ତି । ଯୋଜନା ଅନୁସାରେ, ଏହି ସ୍କିମରେ ଋଣ ରାଶିର ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପରେ ୩ରୁ ୬.୫% ମଧ୍ୟରେ ବାର୍ଷିକ ସୁଧ ସବସିଡି ପ୍ରଦାନ କରାଯିବ । ୫୦ ଲକ୍ଷ ଟଙ୍କାରୁ କମ୍ ଗୃହ ଋଣ, ଯାହାର ଅବଧି ୨୦ ବର୍ଷ ପର୍ଯ୍ୟନ୍ତ ରହିଛି ଉକ୍ତ ଋଣ ଉପରେ ଏ ସ୍କିମ୍ କାର୍ଯ୍ୟ କରିବ । ୨୫ ଲକ୍ଷ ଋଣ ଆବେଦକ ଏହା ଦ୍ୱାର ଉପକୃତ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସରେ ନିଜ ଅଭିଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ । କିନ୍ତୁ ସ୍କିମ୍ ବିଷୟରେ ଅଧିକ ସୂଚନା ଆସି ନ ଥିଲା । ଏବେ କିନ୍ତୁ ସରକାରୀ ଭାବେ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏପରି ଏକ ଖବର ପ୍ରକାଶ ପାଇଛି ।

୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥବା ଏ ପ୍ରସ୍ତାବିତ ସ୍କିମକୁ ଏବେ ଚୂଡ଼ାନ୍ତ ରୂପ ଦିଆଯାଉଛି । ଏ ସ୍କିମ୍ ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରି ଲୋଡ଼ାଯିବ । ଏହି ଯୋଜନା ସେହି ମାନଙ୍କୁ ଲାଭ ଦେବ ଯେଉଁମାନେ ସହରରେ ରହୁଛନ୍ତି କିନ୍ତୁ ଭଡ଼ା ଘରେ ରହୁଛନ୍ତି କିମ୍ବା ବସ୍ତିରେ ବସବାସ କରୁଛନ୍ତି । ଏହା ପୂର୍ବରୁ ୨୦୧୭-୨୦୨୨ ମଧ୍ୟରେ ସମାନ ଧରଣର ଅନ୍ୟ ଏକ ସ୍କିମକୁ କାର୍ଯ୍ୟକାରୀ କରାଯାଇଥିଲା । ଏହା ଅଧୀନରେ ୧୨.୨୭ ନିୟୁତ ଗୃହ ଋଣ ମଞ୍ଜୁର କରାଯାଇଥିଲା ।