ଠକଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଂଜ: ପୋଷାକ ଦେଲେ, ଟ୍ରେନିଂ ଦେଲେ, ଚାକିରି ବେଳକୁ ହୋଇଗଲେ ଉଭାନ

Advertisment
ଠକଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଂଜ: ପୋଷାକ ଦେଲେ, ଟ୍ରେନିଂ ଦେଲେ, ଚାକିରି ବେଳକୁ ହୋଇଗଲେ ଉଭାନ

କନକ ବ୍ୟୁରୋ: ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ । ଚାକିରି ଦେବାକୁ କହି ୩୦ରୁ ଅଧିକ ଯୁବକଙ୍କୁ ଚୁନା ଲଗାଇଛନ୍ତି ଠକ । ଅଭିଯୋଗ ଅନୁସାରେ, ଏହି ଠକ ଛାତ୍ରମାନଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ଉତରପ୍ରଦେଶରେ ଟ୍ରେନିଂ ଦେଇଥିଲେ । ସେଠାରେ ସେମାନଙ୍କୁ ପୋଷାକ ମଧ୍ୟ ଦେଇଥିଲେ । କିନ୍ତୁ ଚାକିରି ଦେବା ବଦଳରେ ଠକି ଦେଲେ । ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଏଭଳି ଠକଙ୍କ ବିରୋଧରେ ମଂଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି କିଛି ଯୁବକ ।

ଚାଲିଛି ପୁଲିସ ଟ୍ରେନିଂ କ୍ୟାମ୍ପ । ଏକାଧିକ ଯୁବକ ଟ୍ରେନିଂ ପାଇଁ ପ୍ରସ୍ତୁତ । ଟ୍ରେନର ରହିଛନ୍ତି, ଟ୍ରେନିଂ ଦିଆ ଚାଲିଛି । ଜଣକ ପରେ ଜଣେ ରଶିରେ ଚଢ଼ି ଗୋଟିଏ ପଟକୁ ଆରପଟକୁ ପାର ହେଉଛନ୍ତି । କିଛି ତଳୁ ଉପରକୁ ଖସୁଛନ୍ତି, ତ କିଏ ଆଉ କିଛି ଆର୍ମି ଟ୍ରେନିଂ ଭଳି ପରେଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆର୍ମି ଟ୍ରେନିଂ ଭଳି ଦିଆଯାଉଥିବା ଏହି ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମିଛ । ଭାରତୀୟ ପୁଲିସ ପ୍ରୋଟେକ୍ସନ ଫୋର୍ସ ନାମକ ଏକ ସଂସ୍ଥା, ଓଡ଼ିଶାର କୋଣ ଅନୁକୋଣର ଯୁବକମାନଙ୍କୁ ରାଜ୍ୟ ପୋଲିସ ଏବଂ ଆର୍ମିରେ ଚାକିରି ଦେବାକୁ କହି ଉତରପ୍ରଦେଶରେ ଏହି ଟ୍ରେନିଂ କରାଇଥିଲା । ନିରୀହ ଲୋକଙ୍କ ବିଶ୍ୱାସକୁ ଜିତି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କା ଲେଖାଏଁ ଠକି ନେଇ ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିବାର ପ୍ରୟାସ କରିଥିବା ଏହି ଠକ ମାନଙ୍କ ନାଁରେ ହୋଇଛି ସଂଗୀନ ଅଭିଯୋଗ । ପୁଲିସ ଚାକିରି ଆଶାୟୀ ଯୁବକ-ଯୁବତୀମାନଙ୍କୁ ବୋକା ବନାଇ ଲକ୍ଷଲକ୍ଷ ଟଙ୍କା ଠକି ଛୁ’ ମାରିଛନ୍ତି ଏହି ଠକ ଗ୍ୟାଙ୍ଗ ।

ଚାକିରି କରିବା ଆଶାରେ ପରିବାର କଷ୍ଟଅର୍ଜିତ ପୁଞ୍ଜି ଲଗାଇ ଦେଇଛନ୍ତି ଅନେକ ଯୁବକ-ଯୁବତୀ । ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୪ଜଣ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ କେବଳ ଓଡ଼ିଶାରୁ ୫୦ରୁ ଅଧିକ ଯୁବକ-ଯୁବତୀ ଏହି ଠକାମିରେ ପଡ଼ିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏମାନେ ଲୁଟିଥିବା ଅଭିଯୋଗ ହୋଇଛି ।

ଆପଣ ହୋଇଛନ୍ତି କି ଠକାମିର ଶିକାର? ପୁଲିସରେ ଚାକିରି ଦେବାକୁ କହି ଭାରତୀୟ ପୁଲିସ ପ୍ରୋଟେକ୍ସନ ଫୋର୍ସ ଭଳି ଠକ ସଂସ୍ଥା ଆପଣଙ୍କୁ ଯୋଗାଯୋଗ କରୁଛି କି? ସାବଧାନ ନରହିଲେ, ପୁଲିସ ବେଶରେ ବୁଲୁଥିବା ଠକମାନେ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇ ଲୁଟି ନେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe